‘ଭାରତ ବିରୋଧୀ ଖଲିସ୍ତାନୀଙ୍କୁ ସମର୍ଥନ କରିବ ନାହିଁ ବ୍ରିଟେନ’: ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

31

ଭାରତ ଗସ୍ତରେ ଆସିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି (ଶୁକ୍ରବାର) ଖାଲିସ୍ତାନୀଙ୍କ ଭାରତ ବିରୋଧୀ ଆନ୍ଦୋଳନ କୁ ନେଇ ବଡ଼ ବୟାନ ଦେଇଛନ୍ତି I ଏହା ସହିତ ବ୍ରିଟେନ ମନ୍ତ୍ରୀ କହିଛନ୍ତି ଚରମପନ୍ଥୀ ଏବଂ ଆତଙ୍କବାଦକୁ ବ୍ରିଟେନ କେବେ ବି ସ୍ୱୀକାର କରିବ ନାହିଁ , ବ୍ରିଟେନ ରେ ରହି ଅନ୍ୟ ରାଷ୍ଟ୍ର ପ୍ରତି ଉଗ୍ରବାଦୀ କାର୍ଯ୍ୟ କରୁଥିବା ମୌଳବାଦୀ ଗୋଷ୍ଠୀକୁ ବରଦାସ୍ତ କରାଯିବ ନାହିଁ I

ଏହାସହ ଯଦି କୌଣସି ସଂଗଠନ ବ୍ରିଟେନକୁ ଆଧାର କରି ଭାରତକୁ ଧମକ ଦେବାକୁ ଉଦ୍ୟମ କରେ କିମ୍ୱା ହିଂସା ସୃଷ୍ଟି କରେ ତେବେ ତାକୁ ଗ୍ରହଣ କରାଯିବ ନାହିଁ । ଏହିକ୍ରମରେ ଭାରତ ସହ ମିଶି ଆତଙ୍କବାଦ ବିରୋଧରେ କାମ କରୁଛି ବ୍ରିଟେନ । ଏହାକୁ ଆହୁରି ଆଗକୁ ବଢାଇବୁ ବୋଲି ଜନସନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ ଭାରତ ଏବଂ ବ୍ରିଟେନ ର ବନ୍ଧୁତ୍ୱ ରେ ଏକ ନୂତନ ସ୍ତରକୁ ନେଇଯିବାର ଅନେକ ସମ୍ଭାବନା ଅଛି। ୟୁକ୍ରେନ ବିରୁଦ୍ଧରେ ରୁଷ ଆକ୍ରମଣ ଉପରେ ଭାରତର ଆଭିମୁଖ୍ୟ ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୁଚାରେ ଘଟିଥିବା ନରସଂହାର ବିରୁଦ୍ଧରେ ଭାରତଦୃଢ ଭାବରେ ନିନ୍ଦା କରିଛି I


ବୋରିସ ଜନସନ ଦିଲ୍ଲୀରେ କହିଛନ୍ତି, ଆସନ୍ତା ସପ୍ତାହରେ ବ୍ରିଟେନ ପୁଣି ଥରେ ୟୁକ୍ରେନର କିଭରେ ନିଜର ଦୂତାବାସ ଖୋଲିବ। ବ୍ରିଟେନ ଖୁବଶୀଘ୍ର ୟୁକ୍ରେନକୁ ଆର୍ଟିଲରୀ ସହ ଅନ୍ୟ ସହୟତା ଯୋଗାଇବ ବୋଲି ଜନସନ ଘୋଷଣା କରିଛନ୍ତି।

ବ୍ରିଟିସ ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ୟୁକ୍ରେନ ହିଁ ନୁହେଁ, ବରଂ ସାରା ଦୁନିଆର ସ୍ଥିତି ବ୍ରିଟେନ ଏବଂ ଭାରତକୁ ଏକ ଶକ୍ତ ପଦକ୍ଷେପ ନେବାକୁ ବାଧ୍ୟ କରୁଛି। ରୁଷକୁ ନେଇ ଭାରତର ଆଭିମୁଖ୍ୟ ସହ ସମସ୍ତେ ଅବଗତ। ଏଥିରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ୟୁକେ ପ୍ରଧାନମନ୍ତ୍ରୀ ପାଶ୍ଚାତ୍ୟ ରାଷ୍ଟ୍ରର ଗୁଇନ୍ଦା ସୂଚନାକୁ ଆଧାର କରି କହିଛନ୍ତି, ୟୁକ୍ରେନ ଯୁଦ୍ଧ ଆସନ୍ତା ବର୍ଷ ଶେଷ ଯାଏଁ ଚାଲିପାରେ, ଏଥିରେ ରୁଷ ବିଜୟ ହୋଇପାରେ । ଅନ୍ୟପଟେ ଆସନ୍ତା ଦୀପାବଳି ଯାଏଁ ଏକ ମୁକ୍ତ ବାଣିଜ୍ୟ ବୁଝାମଣାକୁ ଶେଷ କରିବା ପାଇଁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।

ଦୁନିଆରେ ବଦଳୁଥିବା ଭୂ-ରାଜନୈତିକ ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜନସନ ଏକ ନୂତନ ଏବଂ ବ୍ୟାପକ ପ୍ରତିରକ୍ଷା ସହଭାଗୀତା ଉପରେ ସହମତି ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏକ ମୁକ୍ତ ବାଣିଜ୍ୟ ବୁଝାମଣା(FTA)କୁ ଚୂଡାନ୍ତ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ନେତା ରୋଡ ମ୍ୟାପ୍ ୨୦୩୦ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସବୁ ଦିଗରୁ ସମୀକ୍ଷା କରୁଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ରାଷ୍ଟ୍ରୀୟ ହାଇଡ୍ରୋଜେନ ମିଶନରେ ସାମିଲ ହେବା ପାଇଁ ବ୍ରିଟେନକୁ ଆମନ୍ତ୍ରଣ କରିଛନ୍ତି ।

Comments are closed, but trackbacks and pingbacks are open.