ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତ୍ୟେଷ୍ଟିକୁ ରୁଷ୍ ସହ ୬ ଦେଶକୁ ନିମନ୍ତ୍ରଣ କଲାନି ବ୍ରିଟେନ୍‌

20

ଲଣ୍ଡନ: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିକ୍ରିୟା ଆସନ୍ତା ୧୯ ତାରିଖ ସୋମବାର ଦିନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ । ଏବେ ମହାରାଣୀଙ୍କ ମରଶରୀରକୁ ସଂସଦର ୱେଷ୍ଟମିନିଷ୍ଟର ହଲ୍‌ରେ ରଖାଯାଇଛି । ସେଠାରେ ରାଷ୍ଟ୍ରମୁଖ୍ୟ ଓ ରାଷ୍ଟଦୂତମାନେ ମହାରାଣୀଙ୍କୁ ସମ୍ମାନ ପ୍ରଦର୍ଶନ କରିବାର ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ୱିନ୍‌ଷ୍ଟନ୍ ଚର୍ଚ୍ଚିଲଙ୍କର ୧୯୬୫ ମସିହାରେ ଦେହାନ୍ତ ପରେ ଏହା ହେଉଛି ପ୍ରଥମ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିକ୍ରିୟା । ସମଗ୍ର ବିଶ୍ୱରୁ ପ୍ରାୟ ୫୦୦ରୁ ଅଧିକ ରାଷ୍ଟ୍ର ନେତା ତଥା କୁଟନୀତିଜ୍ଞ ଏହି ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାର ସମ୍ଭାବନା ରହିଛି । ଏଥିପାଇଁ ବଙ୍କିଂହାମ୍ ପାର୍ଲେସ ପକ୍ଷରୁ ସବୁ ଦେଶର ଶାସନ ମୁଖ୍ୟ ଓ ରାଷ୍ଟ୍ରଦୂତମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଛି । ଅଧିକାଂଶ ଦେଶ ମହାରାଣୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ସମ୍ମତି ଜଣାଇ ସାରିଛନ୍ତି । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବେ । ତେବେ ଏହି ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ରୁଷ୍ ରାଷ୍ଟ୍ରପତି ଭ୍ଳାଜିମିର ପୁଟିନ୍‌ଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ରୁଷ ସମେତ ୬ଟି ଦେଶକୁ ଏହି ନିମନ୍ତ୍ରଣ ମିଳିନାହିଁ । ଏହି ୬ ଦେଶ ହେଉଛନ୍ତି ରୁଷ୍‌, ବେଲାରୁଷ୍‌, ମିଆଁମାର, ଭେନେଜୁଆଲା, ସିରିଆ ଓ ଆଫଗାନ୍‌ସ୍ଥାନ । ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ରୁଷ୍ ଓ ବେଲାରୁଷ୍‌କୁ ନିମନ୍ତ୍ରଣ କରାଯାଇ ନାହିଁ । ଭେନେଜୁଆଲା ଓ ସିରିଆ ସହିତ ବ୍ରିଟେନ୍‌ର ସଂପୂର୍ଣ୍ଣ କୁଟନୈତିକ ସଂପର୍କ ନଥିବାରୁ ଏହି ଦୁଇ ଦେଶ ନିମନ୍ତ୍ରଣ ପାଇନାହାନ୍ତି । ଆଫଗାନସ୍ଥାନରେ ବିଶୃଂଖଳିତ ରାଜନୈତିକ ସ୍ଥିତି ଯୋଗୁଁ ଏହି ଦେଶକୁ ନମନ୍ତ୍ରଣ ପତ୍ର ପଠାଯାଇ ନାହିଁ । ମିଆଁମାରକୁ ନିମନ୍ତ୍ରଣ କରାନଯିବାର କାରଣ ଜଣାପଡ଼ି ନାହିଁ । ତେବେ ରୁଷ୍ ଏଥିରେ ପ୍ରତିକ୍ର୍ରିୟା ପ୍ରକାଶ କରିଛି । ରୁଷ୍ କହିଛି ଯେ ଏହା ଧର୍ମସଂଗତ ନୁହେଁ ଓ ନୈତିକତା ହୀନ କାର୍ଯ୍ୟ । ଏହା ବ୍ୟତୀତ ଉତ୍ତର କୋରିଆ, ନିକାରାଗୁଆ ଓ ଇରାନ୍‌ର ରାଷ୍ଟ୍ର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । କେବଳ ଏହି ଦେଶର ରାଷ୍ଟ୍ରଦୂତମାନଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ କହିଛନ୍ତି ଯେ ସେ ଏ ସଂପର୍କରେ କିଛି ଜାଣିନାହାନ୍ତି । ବଙ୍କିଂହାମ୍ ପାର୍ଲେସ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇ ଅତିଥି ତାଲିକା ପ୍ରସ୍ତୁତ କରାଯାଇଛି । ତାଙ୍କର ଏହି ଅତିଥି ତାଲିକା ପ୍ରସ୍ତୁତିରେ କୌଣସି ଭୂମିକା ନାହିଁ ।
ଅନ୍ୟପକ୍ଷରେ ଚୀନ୍‌ର ଏକ ସରକାରୀ ପ୍ରତିନିଧି ଦଳଙ୍କୁ ମହାରାଣୀଙ୍କ କଫିନ୍ ଦେଖିବାର ସୁଯୋଗ ମିଳିନାହିଁ । କାରଣ ସେମାନଙ୍କୁ ୱେଷ୍ଟମିନିଷ୍ଟର ହଲ୍‌କୁ ଯିବାକୁ ବାରଣ କରାଯାଇଛି । ୨୦୨୧ରେ ବ୍ରିଟେନ୍‌ର ୭ ଜଣ ସାଂସଦ ଚୀନ୍‌ର ଜିଙ୍ଗଜିଆଙ୍ଗ ଅଞ୍ଚଳରେ ୟୁଘୁର ସଂଖ୍ୟାଲଘୁମାନଙ୍କୁ ଅତ୍ୟାଚାର କରାଯାଇ ମାନବିକ ଅଧିକାର ଉଲ୍ଲଙ୍ଘନ କରାଯାଇଛି ବୋଲି ଅଭିଯୋଗ କରିଥିଲେ । ତେଣୁ ସେହି ସାଂସଦମାନଙ୍କୁ ଚୀନ୍ ବାସନ୍ଦ କରିଛି । ଏହି ପ୍ରତିକ୍ରିୟାରେ ବ୍ରିଟେନ୍‌ରେ ଥିବା ଚୀନ୍‌ର ରାଷ୍ଟ୍ରଦୂତଙ୍କୁ ସଂସଦ ଭବନକୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଏହି କାରଣରୁ ବାଚସ୍ପତି ଲିଣ୍ଡସେ ହୋଏଲି ଚୀନ ପ୍ରତିନିଧିମାନଙ୍କୁ ସଂସଦ ଭବନରେ ପ୍ରବେଶ ପାଇଁ ଅନୁମତି ଦେଇନାହାନ୍ତି ।

Comments are closed, but trackbacks and pingbacks are open.