ବସ୍‌ ଭିତରେ ୪ ବର୍ଷର ଶିଶୁ କୁ ଦୁଷ୍କର୍ମ ମାମଲା; ଦୁଇ ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ

177

ବ୍ରହ୍ମପୁର:ଗୋପାଳପୁର ଥାନା ଅଞ୍ଚଳରେ ଥିବା ଆର୍ମି ଏଡି କଲେଜ ପରିସରରେ ଗତ ଜାନୁଆରୀ ମାସରେ ଏକ ବସ୍‌ ଭିତରେ ଜନୈକା ୪ ବର୍ଷର ଶିଶୁକନ୍ୟାଙ୍କୁ ଯୌନ ଶୋଷଣ କରାଯାଇଥିଲା। ଉକ୍ତ ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତି ପଟ୍ଟନାୟକ ବସ୍‌ରେ କାର୍ଯ୍ୟରତ ୨ଜଣ ସେନା କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଗୁଜରାଟ ମେହେସନ ଜିଲ୍ଲା ସତଲାସନର ମୂଳ ନିବାସୀ ଭୂତେଦିଆ ଜଏସ କୁମାର(୩୦) ଏବଂ ଦେଓଗଡ଼ ଜିଲ୍ଲା ବରକୋଟ ଥାନା ଅନ୍ତର୍ଗତ ବାଇଧର ଗାଁର ହସେଲଦାର ମୁଣ୍ଡା(୩୭)। ଜଏସ କୁମାର ଗୋପାଳପୁର ଆର୍ମି ଏଡି କଲେଜରେ ହାବିଲଦାର ଭାବେ କାମ କରୁଥିବା ବେଳେ ହସେଲଦାର ଆର୍ମି ଏଡ଼ି କଲେଜର ନାୟକ ଭାବେ କାମ କରୁଥିଲେ। ବିଚାରପତି ଅଭିଯୁକ୍ତ ଦ୍ୱୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ୧୦ ହଜାର ଟଙ୍କା ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ମାସ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଜଜ, ପିଡ଼ିତାଙ୍କୁ ସାଢେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ରାୟରେ ଉଲ୍ଲେଖ କରିଛନ୍ତି।

Comments are closed, but trackbacks and pingbacks are open.