ବୌଦ୍ଧରେ ହେବ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ୍ତ ସାପ୍ତାହିକ ବୁଣାକାର ବଜାର

23

ବୌଦ୍ଧ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟର ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାରଠାରେ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ସାପ୍ତାହିକ ବୁଣାକାର ବଜାରର ଶୁଭ ଉଦଘାଟନ ଆସନ୍ତା ତା ୧୩.୧୧.୨୦୨୨ ରିଖ (ରବିବାର)ରେ ଅନୁଷ୍ଠିତ ହେବ । ଜଙ୍ଗଲ.ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଏହି ବଜାରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ । ଏହି ବୁଣାକାର ବଜାରରେ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରର ବୁଣାକାରମାନେ ଆସି ସେମାନଙ୍କ ସାମଗ୍ରୀ ବିକ୍ରୟ କରିବେ । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ବୁଣାକାର ଓ କାରିଗରମାନଙ୍କ ନିରନ୍ତର ବିକାଶ ଓ ସାମଗ୍ରିକ ଅଭିବୃଦ୍ଧି ନିମନ୍ତେ ତଥା ହସ୍ତତନ୍ତ ବସ୍ତ୍ରକୁ ଭଲ ପାଉଥିବା କ୍ରେତାମାନଙ୍କୁ ସୁଲଭ ମୂଲ୍ୟରେ ହସ୍ତତନ୍ତ ପୋଷାକ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମଥର ବୌଦ୍ଧ ବୁଣାକାର ବଜାର ନାମରେ ଏହି ସାପ୍ତାହିକ ହାଟ ଖୋଲିବାକୁ ଯାଉଅଛି । ବିକ୍ରେତାମାନେ ମହଜୁଦ ରଖିଥିବା ନିଜସ୍ୱ ଉତ୍ପାଦ ହସ୍ତତନ୍ତ ବସ୍ତ୍ରର ବହୁଳ ବିକ୍ରୟର ସୁଯୋଗ ନେବା ତଥା ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସର୍ବୋପରି ପ୍ରଶାସନର ଏହି ପ୍ରୟାସକୁ ସହଯୋଗର ହାତ ବଢାଇ ସାପ୍ତାହିକ ହସ୍ତତନ୍ତ ବଜାରର ମୌଳିକ ଉଦ୍ଦେଶ୍ୟକୁ ସଫଳ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବୁଣାକାରମାନଙ୍କୁ ପ୍ରଥମ ଦୁଇମାସ ପର୍ଯ୍ୟନ୍ତ ଉକ୍ତ ବଜାରରେ ମାଗଣାରେ ପିଣ୍ଡି ଯୋଗାଇଦିଆଯିବ । ହସ୍ତତନ୍ତ ତଥା ସମ୍ବଲପୁରୀ ପୋଷାକ ବଜାର ଖୋଲିବା ପୂର୍ବରୁ ଏହାକୁ ବାସ୍ତବ ରୂପ ଦେବା ପାଇଁ ବରଗଡ ବାଲିଝୁରୀ ବୁଣାକାର ହାଟକୁ ପରିଦର୍ଶନ କରିଥିଲେ । ସେଠାରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ବୌଦ୍ଧକୁ ବ୍ୟବସାୟ ପାଇଁ ଆସିବାକୁ ଅନୁରୋଧ କରିଥିଲେ । ବୌଦ୍ଧ ବୁଣାକାର ବଜାରକୁ ସଫଳ କରିବା ପାଇଁ ବରଗଡ,ସୁବର୍ଣ୍ଣପୁର,ବୌଦ୍ଧର ବୁଣାକାରମାନଙ୍କ ସହିତ ବିଭିନ୍ନ ସମୟରେ ଅଧିକାରୀମାନେ ଆଲୋଚନା କରିଥିଲେ । ଏହି ବୁଣାକାର ବଜାରରେ ହସ୍ତତନ୍ତ ଓ ସମ୍ବଲପୁରୀ ବସ୍ତ୍ର ପ୍ରତି କିପରି ଲୋକମାନେ ଆକୃଷ୍ଟ ହେବେ ଏବଂ ସ୍ୱତନ୍ତ୍ର ବୁଣାକାର ବଜାର ଖୋଲିବା ସଫଳ ହୋଇପାରିବ ସେଥିପାଇଁ ବହୁ ସଂଖ୍ୟାରେ ଆଗ୍ରହୀ କ୍ରେତାମାନେ ଆସି ନିଜ ପସନ୍ଦର ଆବଶ୍ୟକୀୟ ବସ୍ତ୍ର କିଣିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହି ବଜାରରେ ସାଗରପାଲି, ବୀରମହାରାଜପୁର, ଗବଜୋର, ମନମୁଣ୍ଡା, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, କଟକ, ଗୋପାଳପୁର, ନୂଆପାଟଣା,କେନ୍ଦ୍ରାପଡ଼ା,ମାଣିଆଁ ବନ୍ଧ, ଜଗତସିଂହପୁର, ଛତିଶଗଡ, ଭିଲେଇଗଡର ଲୁଗା ବ୍ୟବସାୟୀମାନେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି । ଏହି ବୁଣାକାର ବଜାର ପ୍ରତ୍ୟେକ ରବିବାର ସକାଳ ୬ ଘଣ୍ଟାଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ ।

Comments are closed, but trackbacks and pingbacks are open.