ପିଲାମାନଙ୍କ ଟିକାକରଣ ପାଇଁ ବୁଷ୍ଟର ଡୋଜ୍‌,ଜାରି ହେବ ମାର୍ଗଦର୍ଶିକା

19

ଖୁବଶୀଘ୍ର ଭାରତରେ ଲୋକଙ୍କୁ ଦିଆଯାଇପାରେ କରୋନା ବିରୋଧରେ ବୁଷ୍ଟର ଡୋଜ୍‌। ଯେଉଁମାନେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି, ସେମାନଙ୍କୁ ପୁଣିଥରେ ତୃତୀୟ ଡୋଜ୍‌ ନେବାକୁ ପଡ଼ିପାରେ। ଏଥିସହ ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ମଧ୍ୟ କରାଯିବ। କେନ୍ଦ୍ର ସରକାରଙ୍କ ଟିକାକରଣ କଥା ବୁଝୁଥିବା ଉଚ୍ଚସ୍ତରୀୟ ପ୍ୟାନେଲ ଏନେଇ ମାର୍ଗଦର୍ଶିକା ଜାରି କରିବ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ୨ ସପ୍ତାହ ମଧ୍ୟରେ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ଟିକାକରଣ ପ୍ରକ୍ରିୟାର ସମୀକ୍ଷା କରି ନିଷ୍ପତ୍ତି ନେଉଥିବା ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପର ବୈଠକ ଖୁବଶୀଘ୍ର ବସିବ। ବିଭିନ୍ନ ରାଷ୍ଟ୍ରରେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍‌ ଦିଆଯାଉଛି। ଭାରତରେ ଏହାର ଆବଶ୍ୟକତା ରହିଛି କି ନାହିଁ, ତା’ ଉପରେ ଗ୍ରୁପ୍ ପକ୍ଷରୁ ନିଷ୍ପତ୍ତି ନିଆଯିବ। ସେହିପରି ଯଦି ବି ବୁଷ୍ଟର ଡୋଜ୍‌କୁ ଅନୁମତି ମିଳିବ, ତା’ହେଲେ କେଉଁ ବର୍ଗର ଲୋକଙ୍କୁ ଏହା ପ୍ରଥମେ ଦିଆଯିବ, ତା’ ଉପରେ ମଧ୍ୟ ମାନସମନ୍ଥନ ହେବ।ଏହାବାଦ ଭାରତରେ ଦୁଇଟି ଟିକାକୁ ଛୋଟ ପିଲାଙ୍କୁ ଦେବାକୁ ଅନୁମତି ମିଳିଛି। ହେଲେ ଏଯାଏ ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇନି। ତେଣୁ ଛୋଟ ପିଲାଙ୍କ ଟିକାକରଣ ପାଇଁ ଟେକ୍ନିକାଲ ଗ୍ରୁପ୍‌ ମାର୍ଗଦର୍ଶିକା ମଧ୍ୟ ଜାରି କରିବ। ପ୍ରଥମେ ବହୁବିଧି ରୋଗରେ ପୀଡ଼ିତ ଛୋଟ ପିଲାଙ୍କୁ ଟିକା ଦିଆଯିବ।
ଜାନୁଆରୀ ମାସରୁ ଏହା ଆରମ୍ଭ ହୋଇପାରେ। ମାର୍ଚ୍ଚ ସୁଦ୍ଧା ଅନ୍ୟ ବର୍ଗର ପିଲାମାନେ ଟିକା ନେବାକୁ ଯୋଗ୍ୟତା ଅର୍ଜନ କରିବେ। ଏବେ ବିଭିନ୍ନ ସ୍ଥାନରେ ସ୍କୁଲ ଖୋଲିବା ଆରମ୍ଭ କଲାଣି। ଏଥିପାଇଁ ସ୍କୁଲ ପିଲାମାନଙ୍କ ଟିକାକରଣ ଜରୁରୀ ହୋଇପଡ଼ିଛି। ମହାମାରୀର ତୃତୀୟ ୱେଭକୁ ରୋକିବା ପାଇଁ ସରକାର ପିଲାମାନଙ୍କ ଟିକାକରଣ ଯଥାଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା ୧୧୫ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ହୋଇ ସାରିଲାଣି। ୪୦ ଲକ୍ଷ ଲୋକ ଟିକାର ଉଭୟ ଡୋଜ୍‌ ମଧ୍ୟ ନେଇଛନ୍ତି। ବାକି ଲୋକଙ୍କୁ ଅତିକମରେ ଗୋଟିଏ ଡୋଜ୍‌ ଦିଆଯାଇଛି। ସରକାର ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସବୁ ପ୍ରାପ୍ତ ବୟସ୍କଙ୍କୁ ଅତିକମରେ ଟିକାର ଗୋଟିଏ ଡୋଜ୍‌ ଦେବାକୁ ଯୋଜନା କରିଛନ୍ତି। ଏଥିପାଇଁ ଘର ଘର ବୁଲି ଟିକାକରଣ ମଧ୍ୟ କରାଯାଉଛି।

Leave A Reply

Your email address will not be published.