୪ରେ କିମ୍‍ସରେ ବୋନ୍‍ ଆଣ୍ଡ ଜଏଣ୍ଟ ଦିବସ

315

ଭୁବନେଶ୍ୱର: ସମଗ୍ର ଦେଶରେ ଅଗଷ୍ଟ ୧ରୁ ୭ତାରିଖ ପର୍ଯ୍ୟନ୍ତ ବୋନ୍‍ ଆଣ୍ଡ ଜଏଣ୍ଟ ସପ୍ତାହ ପାଳନ ହେଉଥିବା ବେଳେ କିମ୍‍ସରେ ୪ତାରିଖରେ ପାଳିତ ହେବ ବୋନ୍‍ ଆଣ୍ଡ ଜଏଣ୍ଟ ଦିବସ । ପୂର୍ବରୁ ଅସ୍ଥିଶଲ୍ୟ ବିଭାଗ ସାଧାରଣ ଅସ୍ତ୍ରୋପଚାର ବିଭାଗ ଅଧୀନରେ ଆସୁଥିଲା । ମାତ୍ର ଜନସଂଖ୍ୟା ବୃଦ୍ଧି ସହ ଅସ୍ଥି ସହ ଆଣ୍ଠୁଗଣ୍ଠି ରୋଗୀଙ୍କ ସଂଖ୍ୟା ଓ ଭିତ୍ତିଭୂମି ବୃଦ୍ଧି ପାଇବା ଯୋଗୁଁ ୧୯୭୪ରେ ସାଧାରଣ ଅସ୍ତ୍ରୋପଚାରରୁ ଅସ୍ଥିଶଲ୍ୟ ବିଭାଗ ଅଲଗା ହୋଇଯାଇଥିଲା । ସେହିବର୍ଷ ଅଗଷ୍ଟ ୪ ତାରିଖରେ ସମଗ୍ର ଭାରତବର୍ଷରେ ଥିବା ମେଡିକାଲ୍‍ କଲେଜଗୁଡ଼ିକରେ ଅସ୍ଥିଶଲ୍ୟ ବିଭାଗ ସ୍ୱତନ୍ତ୍ର ଭାବେ ଆରମ୍ଭ କରାଗଲା । ପୁନର୍ବାର ୨୦୦୮ରେ ଭାରତୀୟ ଅର୍ଥୋପେଡିକ୍‍ ସଂଘ (ଆଇଓଏ) ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ବୋନ୍‍ ଆଣ୍ଡ ଜଏଣ୍ଟ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ସେହିବର୍ଷଠାରୁ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବୋନ୍‍ ଆଣ୍ଡ ଜଏଣ୍ଟ ସପ୍ତାହା ପାଳନ ହେଉଥିବା ସମୟରେ ଅଗଷ୍ଟ ୪ ତାରିଖରେ ବୋନ୍‍ ଆଣ୍ଡ ଜଏଣ୍ଟ ଦିବସ ପାଳନ ହୋଇଆସୁଛି । ଅର୍ଥୋପେଡିକ୍‍ ସଂଘର ସାମାଜିକ ଦାୟିତ୍ୱବୋଧର ଏକ ଅଂଶ ବିଶେଷ ଭାବେ ଏହି ସପ୍ତାହର ବିଷୟବସ୍ତୁ ରହିଛି ‘ଇଚ୍‍ ୱାନ୍‍, ଟ୍ରେନ୍‍ ୱାନ୍‍, ସେଭ୍‍ ୱାନ୍‍’ । ଏହି ସପ୍ତାହ ପାଳନ ଅବସରରେ ରାସ୍ତା ଓ ଅନ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ବଞ୍ଚାଇବା ଲାଗି ଆବଶ୍ୟକ ସର୍ବନିମ୍ନ ସହାୟତା ପାଇଁ ସଂଘ ପକ୍ଷରୁ ବିଭିନ୍ନ ଆମ୍ବୁଲାନ୍‍ସ ଡ୍ରାଇଭର, ସାଧାରଣ ଗାଡ଼ି ଚାଳକ, ଟ୍ରାଫିକ୍‍ ପୋଲିସ୍‍, ପାରାମେଡିକାଲ୍‍ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଏହି ଜୀବନ ରକ୍ଷାକାରୀ ତାଲିମ୍‍ ପ୍ରଦାନ କରାଯାଇଥାଏ । ଏହା ସହିତ ସପ୍ତାହବ୍ୟାପୀ ଭାରତର ବିଭିନ୍ନ ସହର ଓ ଜିଲ୍ଲା ମୁଖ୍ୟାଳୟରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଅଷ୍ଟେଓପରୋସିସ୍‍, ଅସ୍ଥିଗତ ସ୍ୱାସ୍ଥ୍ୟ ଓ ସଡ଼କ ସୁରକ୍ଷା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନତା କରାଯାଉଛି । ଅଗଷ୍ଟ ୪ ତାରିଖରେ ସମଗ୍ର ଭାରତବର୍ଷରେ ବ୍ୟାପକ ମାତ୍ରାରେ ସର୍ବାଧିକ ଲୋକଙ୍କୁ ଜୀବନ ରକ୍ଷାକାରୀ ପ୍ରଶିକ୍ଷଣ ଦିଆଯାଇ ଏକ ରେକର୍ଡ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅର୍ଥୋପେଡ଼ିକ ସଂଘର ଡାକ୍ତର ଓ ବିଶେଷଜ୍ଞମାନେ ଭୁବନେଶ୍ୱର ସମେତ କଟକ, ରାଉରକେଲା, ବ୍ରହ୍ମପୁର ଓ ରାଜ୍ୟର ଅନ୍ୟ ମେଡିକାଲ୍‍ କଲେଜଗୁଡ଼ିକରେ ସତେଚତନତା ସୃଷ୍ଟି କରିବେ ବୋଲି ଓଡ଼ିଶା ଅର୍ଥୋପେଡ଼ିକ ସଂଘର ସମ୍ପାଦକ ଡା. ବସନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.