ବୋମାରେ ଆର୍‌ଏସ୍‌ଏସ୍ ମୁଖ୍ୟାଳୟ ଉଡ଼ାଇ ଦେବାକୁ ଧମକ

33

ନାଗପୁର: ମହାରାଷ୍ଟ୍ରର ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟାଳୟକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହି ଧମକ ପରେ ଆର୍‌ଏସ୍‌ଏସ୍ ମୁଖ୍ୟାଳୟ ବାହାରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଜୋନ୍‌-୩ ଡିସିପି ଗୋରଖ ଭାମ୍‌ରେଙ୍କ ଅନୁସାରେ ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଜଣେ ବ୍ୟକ୍ତି ପୁଲିସ କଣ୍ଟ୍ରୋଲ୍ ରୁମ୍‌କୁ ଫୋନ୍ କରି ବୋମା ବିସ୍ଫୋରଣରେ ଆର୍‌ଏସ୍‌ଏସ୍ ମୁଖ୍ୟାଳୟ ଉଡ଼ାଇ ଦେବାକୁ ଧମକ ଦେଇଥିଲା । ସୂଚନା ମିଳିବା ପରେ ବୋମା ସ୍କ୍ୱାଡ୍ ଟିମ୍ ସହିତ ଏକ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆର୍‌ଏସ୍‌ଏସ୍ ମୁଖ୍ୟାଳୟ ପରିସରରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ । ସୁରକ୍ଷା ଦୃଷ୍ଟିରୁ ପରିସର ବାହାରେ ପାଟ୍ରୋଲିଂ ଜୋର୍‌ଦାର କରାଯାଇଥିବା ବେଳେ ନିକଟରେ ବସବାସ କରୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଅନ୍ୟପକ୍ଷରେ ଧମକପୂର୍ଣ୍ଣ କଲ୍ ଆସିଥିବା ଫୋନ୍ ନମ୍ବର ଟ୍ରେସ୍ ଉଦ୍ୟମରେ ପୁଲିସ ଲାଗିଛି । ସୂଚନାଯୋଗ୍ୟ, ପୂର୍ବରୁ ହିଁ ଆର୍‌ଏସ୍‌ଏସ୍ ମୁଖ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହଛି । ଏଠାରେ ସିଆର୍‌ପିଏଫ୍‌ର ଗୋଟିଏ ୟୁନିଟ୍ ମୁତୟନ ଥିବାବେଳେ ବାହାର ସର୍କଲ୍‌ରେ ନାଗପୁର ପୁଲିସ ମୁତୟନ କରାଯାଇଛି । ମୁଖ୍ୟାଳୟରେ ଭିଡିଓଗ୍ରାଫି ଏବଂ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ରହିଛି ।

Comments are closed, but trackbacks and pingbacks are open.