ବଲିଉଡ୍ ଅଭିନେତ୍ରୀ ତବସୁମ୍‌ଙ୍କ ପରଲୋକ

22

ମୁମ୍ବାଇ: ପ୍ରସଦ୍ଧ ବଲିଉଡ୍ ଅଭିନେତ୍ରୀ ତବସୁମ୍‌ଙ୍କର ୭୮ ବର୍ଷ ବୟସରେ ପରଲୋକ ହୋଇଛି । ଶୁକ୍ରବାର ସନ୍ଧ୍ୟା ୮ଟା ୪୦ ମିନିଟ୍ ସମୟରେ କାର୍ଡିଆକ୍ ଆରେଷ୍ଟ କାରଣରୁ ତବସୁମ୍ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ପୁତ୍ର ହୋଶାଙ୍ଗ ଗୋଭିଲ୍ ଶନିବାର ମିଡିଆକୁ ସୂଚନା ଦେଇଛନ୍ତି । ଅନ୍ତିମ ସଂସ୍କାର ପରେ ଲୋକଙ୍କୁ ଏହି ଖବର ଦିଆଯାଉ ତାଙ୍କର ଇଚ୍ଛା ଥିଲା । ତେଣୁ ଏହି ସୂଚନା ଶନିବାର ଦିଆଯାଇଛି ବୋଲି ହୋଶାଙ୍ଗ କହିଛନ୍ତି । ହୋଶାଙ୍ଗ କହିଛନ୍ତି, ତାଙ୍କର ଗ୍ୟାସ୍‌ଷ୍ଟ୍ରିକ୍ ସମସ୍ୟା ଥିଲା । ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତିହୋଇ ଡିସ୍‌ଚାର୍ଜ ମଧ୍ୟ ହୋଇଥିଲେ । ମାତ୍ର ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଯାଇଥିଲା । ଦୁଇ ମିନିଟ୍ ମଧ୍ୟରେ ତାଙ୍କର ଦୁଇଟି କାର୍ଡିଆକ୍ ଆରେଷ୍ଟ୍ ହୋଇଥିଲା । ତବସୁମ୍ ୧୯୪୭ରେ ବେବି ତବସୁମ୍ ନାମରେ ହିନ୍ଦୀ ଫିଲ୍ମ ‘ନର୍ଗିସ୍‌’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ । ୭୦ ଦଶକରେ ସେ କାମୟାବ ଟେଲିଭିଜନ୍ ହୋଷ୍ଟ୍ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ଦୂରଦର୍ଶନରେ ୨୧ ବର୍ଷ ଧରି ଚାଲିଥିବା ଟକ୍ ଶୋ’ ‘ଫୁଲ୍ ଖିଲେ ଗୁଲ୍‌ଶନ୍ ଗୁଲ୍‌ଶନ୍‌’ରେ ସେ ବହୁ ବଡ଼ ହସ୍ତୀଙ୍କ ଇଣ୍ଟରଭ୍ୟୁ କରିଛନ୍ତି । ଏହି ଶୋ’ର ଆରମ୍ଭ ୧୯୭୨ରେ ହୋଇ ଏହା ୧୯୯୩ ପର୍ଯ୍ୟନ୍ତ ଚାଲିଥିଲା । ସେ ଗତ କିଛିବର୍ଷ ଧରି ନିଜର ୟୁ-ଟ୍ୟୁବ୍ ଚାନେଲ୍ ପାଇଁ ଲଗାତାର ଭିଡିଓ ପ୍ରସ୍ତୁତ କରୁଥିଲେ । ତବସୁମ୍‌ଙ୍କ ଜନ୍ମ ୧୯୪୪ ଜୁଲାଇ ୯ ତାରିଖରେ ଅଯୋଧ୍ୟାରେ ହୋଇଥିଲା । ତାଙ୍କ ପିତା ଅଯୋଧ୍ୟାନାଥ ସଚଦେବ ଏବଂ ମା୩ ଅସଗରୀ ବେଗମ୍ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତିନିବର୍ଷ ବୟସରେ ତାଙ୍କୁ ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ ମିଳିଥିଲା । ତବସୁମ୍ ଫିଲ୍ମ ‘ଦିଦାର’ରେ ନର୍ଗିସ୍‌ଙ୍କ ପିଲାଦିନର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ତମସୁମ୍‌ଙ୍କ ବିବାହ ରାମାୟଣର ରାମ ଭୂମିକାରେ ଥିବା ଅରୁଣ ଗୋଭିଲ୍‌ଙ୍କ ବଡ଼ଭାଇ ବିଜୟ ଗୋଭିଲ୍‌ଙ୍କ ସହ ହୋଇଥିଲା । ଦୁହିଁଙ୍କର ଜଣେ ପୁତ୍ର ହୋଶାଙ୍ଗ । ହୋଶାଙ୍ଗ ମଧ୍ୟ ଅଭିନେତା । ୨୦୨୧ରେ ତବସୁମ୍ କରୋନା ସଂକ୍ରମିତ ହୋଇଥିଲେ । ଏହି କାରଣରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଆଡ୍‌ମିଟ୍ କରାଯାଇଥିଲା । ଦୀର୍ଘ ସଂଘର୍ଷ ପରେ ସେ କରୋନାରୁ ସୁସ୍ଥ ହୋଇଥିଲେ । ଏହା ମଧ୍ୟରେ ତାଙ୍କ ମୃତ୍ୟୁର ଗୁଜବ ପ୍ରଚାରିତ ହୋଇଥିଲା । ତବସୁମ୍ ଏକ ବୟାନ ଜାରିକରି ସେ ବିଲ୍‌କୁଲ୍ ଠିକ୍ ଅଛନ୍ତି ବୋଲି କହିଥିଲେ ।
ତବସୁମ୍‌ଙ୍କ ସ୍ମରଣୀୟ ଫିଲ୍ମ ମଧ୍ୟରେ ମେରା ସୁହାଗ (୧୯୪୭), ବୈଜୁ ବାୱରା (୧୯୫୧), ମୁଗଲ୍‌-ଏ-ଆଜମ୍ (୧୯୬୦), ଫିର୍ ୱହି ଦିଲ୍ ଲାୟା ହୁଁ (୧୯୬୩), ଗ୍ୟାମ୍ବଲ୍‌ର୍ (୧୯୭୧), ଚମେଲୀ କୀ ସାଦୀ (୧୯୮୬) ଅନ୍ୟତମ । ସେହିପରି ଫୁଲ୍ ଖିଲେ ଗୁଲ୍‌ଶନ୍ ଗୁଲ୍‌ଶନ୍ (୧୯୭୨-୧୯୯୩), ପ୍ୟାର୍ କେ ଦୋ ନାମ ଏକ ରାଧା ଏକ ଶ୍ୟାମ୍ (୨୦୦୬) ଏବଂ ଲେଡିଜ୍ ସ୍ପେଶାଲ୍ (୨୦୦୯) ତାଙ୍କର ସ୍ମରଣୀୟ ଟିଭି ସିରିୟଲ୍ ମଧ୍ୟରେ ଅନ୍ୟତମ ।

Comments are closed, but trackbacks and pingbacks are open.