ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍

19

ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ

ଭୁବନେଶ୍ୱର : ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ ଓଡ଼ିଶାର ନୀଳ ଅର୍ଥନୀତିର ଗତି ବିକାଶ ପାଇଁ ରୋଡ ମ୍ୟାପ୍ ଉନ୍ମୋଚନ କରିଛନ୍ତି ଇଡକୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀ । ଏହା ମାଧ୍ୟମରେ ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳବର୍ତ୍ତୀ ଅଞ୍ଚଳର ସମୃଦ୍ଧିକୁ ନୂତନ ଗତି ଦେବା ଲକ୍ଷ୍ୟ ରହିଛି।

ରାଜ୍ୟର ୪୮୦ କିଲୋମିଟରରୁ ଅଧିକ ଦୀର୍ଘ ଉପକୂଳରେଖା ଓଡ଼ିଶାକୁ ବ୍ଲୁ ଇକୋନୋମି କ୍ଷେତ୍ରରେ ବିଶେଷ ରଣନୈତିକ ସୁବିଧା ପ୍ରଦାନ କରାଯିବ । ଏହି ଅବସରରେ ଶ୍ରୀମତୀ ପାଢୀ କହିଥିଲେ ଯେ, ଏହି ସମ୍ଭାବନାକୁ ସ୍ଥାୟୀ ଓ ପରିବେଶ–ସମନ୍ୱିତ ଉନ୍ନୟନରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

ଏହି ରୋଡମ୍ୟାପ୍‌ର କେନ୍ଦ୍ରବିନ୍ଦୁ ହେଉଛି ‘ପୋର୍ଟ–ଲେଡ୍ ଅର୍ବାନାଇଜେସନ୍’ ରଣନୀତି। ଏହା ଅନୁଯାୟୀ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରକୁ କେନ୍ଦ୍ର କରି ବ୍ଲୁ ଇକୋନୋମି ଇଣ୍ଡଷ୍ଟ୍ରିଆଲ୍ ହବ୍ ଗଢ଼ିଉଠିବ, ଯାହା ସାମୁଦ୍ରିକ ବାୟୋଟେକ୍ନୋଲୋଜି, ଗ୍ରୀନ୍ ସିପିଂ ଓ କୃତ୍ରିମ ବୁଦ୍ଧିମତା ଆଧାରିତ ସାମୁଦ୍ରିକ ପରିଚାଳନା ଭଳି ଉଦୀୟମାନ କ୍ଷେତ୍ରରେ ନିବେଶ ଓ ନବସୃଜନକୁ ଉତ୍ସାହିତ କରିବ। ଡିଜିଟାଲ୍ ରୂପାନ୍ତରଣ, ଶିଳ୍ପ ଦକ୍ଷତା ବୃଦ୍ଧି ଓ ବ୍ୟବସାୟ କରିବାର ସହଜତା(Ease of Doing Business) ଉଦ୍ୟମ ମାଧ୍ୟମରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀ ଓ ଷ୍ଟାର୍ଟଅପ୍ ମାନଙ୍କ ପାଇଁ ଆକର୍ଷଣୀୟ ଗନ୍ତବ୍ୟରେ ପରିଣତ କରାଯାଉଛି।

ଉପକୂଳ କ୍ଷେତ୍ର ପରିଚାଳନା, ସି–ଉଇଡ୍ ଚାଷ ଓ ପରିବେଶ–ଅନୁକୂଳ ସାମୁଦ୍ରିକ ପର୍ଯ୍ୟଟନକୁ ଏହି ରଣନୀତିର ପ୍ରମୁଖ ଅଂଶ ଭାବେ ଚିହ୍ନଟ କରାଯାଇଛି । ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ଆଧୁନିକ ନବସୃଜନର ସମନ୍ୱୟ ମାଧ୍ୟମରେ ରାଜ୍ୟ ଭବିଷ୍ୟତରେ ସ୍ଥାୟୀ ସାମୁଦ୍ରିକ ଶାସନ ଓ ବ୍ଲୁ ଇକୋନୋମି କ୍ଷେତ୍ରରେ ଜାତୀୟ ଓ ବିଶ୍ୱସ୍ତରୀୟ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି ଶ୍ରୀମତୀ ପାଢୀ କହିଛନ୍ତି।

Comments are closed, but trackbacks and pingbacks are open.