ଓଡିଶା ପାଇଁ ବିଜେପି ର ନୂଆ ୧୭ଜଣିଆ କୋର୍ ଟିମ ଗଠନ : ସ୍ଥାନିତ ହେଲେ ପ୍ରତାପ ଷଡ଼ଙ୍ଗୀ

20

ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି। ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୭ଜଣିଆ କୋର୍ ଟିମ ଗଠନ କରିଛି ।ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶା ବିଜେପି ନିମନ୍ତେ ଏକ କୋର କମିଟି ଗଠନ କରିଛନ୍ତି। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନଥିବାବେଳେ ବରିଷ୍ଠ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏଥିରେ ସ୍ଥାନିତ ହୋଇଛନ୍ତି I

କମିଟିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟପାଲ ତୋମରଙ୍କ ସମେତ ମୋଟ ୧୭ଜଣଙ୍କୁ ସ୍ଥାନ ମିଳିଛି। କମିଟିରେ ୩ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ,କେଭି ସିଂହଦେଓ, ସମ୍ବିତ ପାତ୍ର ଏବଂ ସୁରମା ପାଢ଼ୀଙ୍କୁ କୋର କମିଟିରେ ସ୍ଥାନ ମିଳିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି କମିଟିରୁ ବାଦ ଦିଆଯାଇଛି ।

ସୂଚନା ଅନୁସାରେ, ଓଡ଼ିଶାରେ ବିଜେପିକୁ ତୃଣମୂଳସ୍ତରରେ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା କିଭଳି ମିଳିପାରିବ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି କମିଟି ନିଶ୍ଚିତ ଭାବେ ପ୍ରତିମାସରେ ଥରେ ବୈଠକ କରିବ ବୋଲି ଶ୍ରୀ ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.