ଆଗାମୀ ୨୦୨୪ରେ ବିଜେପି ସରକାର ଗଢ଼ିବ

214

ଭୁବନେଶ୍ୱର: ଆଗାମୀ ନିର୍ବାଚନ ଏକା ଲଢିବ ବିଜେପି । କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ  । ଶନିବାର ଯାଦବ  ସ୍ପଷ୍ଟ କରିଛନ୍ତି ଯେ, ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ​​ଓଡିଶାରେ କୌଣସି  ଦଳସହ ମେଣ୍ଟ କରିବ ନାହିଁ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ଥିବା କେନ୍ଦ୍ର ମନ୍ତ୍ରୀ ମଧ୍ୟ କହିଛନ୍ତି, ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି  ଓଡ଼ିଶାରେ ସରକାର ଗଠନ ପାଇଁ  ଆବଶ୍ୟକ ସଂଖ୍ୟକ ଆସନ ପାଇବ। ବିଜେପି ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ କୌଣସି ପ୍ରକାର ମେଣ୍ଟକୁ ଖଣ୍ଡନ କରି ଯାଦବ କହିଛନ୍ତି, ବିଜେପି ଆଗାମୀ ଓଡିଶାରେ ଏକାକୀ ଲଢିବ ଏବଂ ସରକାର ଗଠନ କରିବାରେ ସମର୍ଥ ହେବ ।

ବିଜେପି ଏବଂ ବିଜେଡି ମଧ୍ୟରେ ଅଘୋଷିତ ମେଣ୍ଟକୁ ନେଇ ରାଜ୍ୟ ତଥା ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଏପରି ବିବୃତ୍ତି ବେଶ ଗୁରୁତ୍ୱପୂର୍ଣ୍ଣ  ।ଏଠି କହିରଖିବୁ,  ନିକଟରେ ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା  ଆସିଥିବା ବେଳେ ଗୋଟଏ  ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବସିଥିଲେ । ସେତିକି ନୁହେଁ, ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ପ୍ରଶଂସା କରିଥିଲେ ।

ସେହିପରି  ନିକଟରେ ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ବେଳେ ବିଜେଡି ସାଂସଦ ପିନାକୀ ମିଶ୍ର ମୋଦି ସରକାରଙ୍କୁ ଖାଲି ସମର୍ଥନ କରି ନଥିଲେ ବରଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଏପରିକି କେନ୍ଦ୍ର ସରକାର ରାଜ୍ୟକୁ ସହାୟତା କରୁଥିବା ସଂସଦରେ କହିଥିଲେ । ସେହିପରି ବିଜେଡି ଦିଲ୍ଲୀ ସେବା ବିଲକୁ ମଧ୍ୟ ସମର୍ଥନ କରିଛି  ।

ଖାଲି କେନ୍ଦ୍ରମନ୍ତ୍ରୀ ନୁହଁନ୍ତି,  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ କହିଛନ୍ତି ଯେ ଓଡିଶାରେ ଆସନ୍ତା ନିର୍ବାଚନରେ ​​ସମସ୍ତ ୧୪୭ ବିଧାନସଭା ଆସନ ଏବଂ ୨୧ ଟି ଲୋକସଭା ଆସନରେ ଏକାକୀ ଲଢିବ । ଏପରିକି ଯଦି ନିର୍ବାଚନ ଆଗୁଆ ହେବ ତେବେ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଏକ ସର୍ଭେରୁ ଜଣାଯାଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ।

Comments are closed, but trackbacks and pingbacks are open.