ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ବିଜେପି ପାଳିବ ‘ସେବାପକ୍ଷ’

26

ଭୁବନେଶ୍ୱର: ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ଦିନ ବ୍ୟାପୀ ‘ସେବାପକ୍ଷ’ ଓଡ଼ିଶା ସମେତ ସମଗ୍ର ଦେଶରେ ପାଳନ କରାଯିବ ।
ସେବାପକ୍ଷ ଅବସରରେ ୧୭ରେ ମୋଦୀଜୀଙ୍କ ଜନ୍ମଦିନ, ୨୫ରେ ପଣ୍ଡିତ ଦୀନଦୟାଲଜୀଙ୍କ ଜୟନ୍ତୀ ଓ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳନ କରାଯିବ । ତାଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସେବା, ସୁଶାସନ ଏବଂ ଗରୀବକଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ଗରିବ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ଲାଭ କରିଥିବା ଦେଶବାସୀ ଅନୁଭବ କରିବା କାରଣରୁ ତାଙ୍କ ପ୍ରତି ସମାଜର ସବୁ ବର୍ଗର ଲୋକମାନଙ୍କ ସମର୍ଥନ ବ୍ୟାପକ ଭାବେ ବୃଦ୍ଧି ପାଉଛି ।
‘ସେବାପକ୍ଷ’ ରାଜ୍ୟ ସଂଯୋଜକ ତଥା ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ସମସ୍ତେ ମିଳିମିଶି ସେବାପକ୍ଷରେ ବିଭିନ୍ନ ସେବା କାର୍ଯ୍ୟକ୍ରମମାନ ଜରିଆରେ ମୋଦିଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବାକୁ ପାର୍ଟିର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ପାଳନ କରିବେ ।
ଶ୍ରୀ ମାଝୀ କହିଛନ୍ତି ଯେ, ୧୫ ଦିନ ଧରି ପାଳନ ହେବ । ସେବାପକ୍ଷ ପାଳନ ଅବସରରେ ମୋଦିଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରାଯିବା ସହିତ ବିଭିନ୍ନ ସେବାମୁଳକ କାର୍ଯ୍ୟ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, କୃତ୍ରିମ ଅଙ୍ଗ ଓ ଉପକରଣ ପ୍ରଦାନ, ପ୍ରଦର୍ଶନୀମାନ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ଆସନ୍ତା ୧୭ ଓ ୧୮ ଦିନ ଯୁବମୋର୍ଚ୍ଚା ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ରକ୍ତଦାନ ଶିବିରର ଆୟୋଜନ କରାଯିବ । ମୋଦିଜୀଙ୍କ ବ୍ୟକ୍ତିତ୍ୱ, ଦୂରଦୃଷ୍ଟି, ନୀତି ଓ ଉପଲବ୍ଧିକୁ ନେଇ ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ‘ବୁଦ୍ଧିଜୀବି ସମ୍ମିଳନୀ’ ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର; ୨୨ରୁ ୨୪ ପର୍ଯ୍ୟନ୍ତ ବୃକ୍ଷରୋପଣ ଓ ଜଲ ସଂରକ୍ଷଣ; ୨୩ ଓ ୨୪ ସ୍ୱଚ୍ଛତା ଅଭିଯାନ କରାଯିବ । ‘ସେବାପକ୍ଷ’ ଅବସରରେ ପଣ୍ଡିତ ଦୀନଦୟାଲ ଜୟନ୍ତୀ ମଧ୍ୟ ପାଳିତ ହେବ । ଏହି ଅବସରରେ ୨୫ ତାରିଖ ଦିନ ମନ୍ କି ବାତ୍‌, ୨୬ ରୁ ୨୮ ଟୀକାକରଣ ଅଭିଯାନ ଓ ଅକ୍ଟୋବର ୧ ଦିନ ‘ବିବିଧତାରେ ଏକତା ଦିବସ’ ପାଳନ ଅବସରରେ ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ବାର୍ତ୍ତାକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବ । । ‘ସେବାପକ୍ଷ’ର ଅନ୍ତିମ ଦିନ ଅକ୍ଟୋବର ୨ ତାରିଖ ଦିନ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ପ୍ରତିମୁର୍ତ୍ତୀର ମାଲ୍ୟାର୍ପଣ କରାଯିବା ସହିତ ବାପୁଙ୍କ ସିଦ୍ଧାନ୍ତ, ସ୍ୱଦେଶୀ, ଖଦୀ, ସ୍ୱାବଲମ୍ବନ, ସରଳତା ଏବଂ ସ୍ୱଚ୍ଛତା ସଂପର୍କରେ ସମସ୍ତଙ୍କୁ ଜାଗରଣ କରିବା ପାଇଁ ଅଭିଯାନ କରାଯିବ । ‘ଆତ୍ମନିର୍ଭର’ କାର୍ଯ୍ୟକ୍ରମକୁ ‘ଭୋକାଲ୍ ଫର୍ ଲୋକାଲ୍‌’ ମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ବ୍ୟତୀତ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶନୀ, ରାଜ୍ୟ ସଂପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ୍ ଦାସଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

Comments are closed, but trackbacks and pingbacks are open.