ଘୋଷଣା ହେବ ବିଜେପି ରାଜ୍ୟ କମିଟି

1,528

ଭୁବନେଶ୍ୱର: ବିଜେପି ରାଜ୍ୟ କମିଟି ଘୋଷଣା ହେବାକୁ ଯାଉଛି। ଏହା ଖୁବ୍ ଶୀଘ୍ର ହେବ ବୋଲି ଜଣାପଡ଼ିଛି। ଏ ନେଇ ଗତ ଶନିବାର ରାତି ୨ଟା ପର୍ଯ୍ୟନ୍ତ ଓ ରବିବାର ଦିନ ଦୀର୍ଘ ସମୟ  ଧରି ବୈଠକ ଚାଲିଥିଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ  ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି  ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହୋଇଥିଲେ। ସୂଚନା ଅନୁସାରେ କମିଟିରେ ୧୦ ଜଣ ଉପସଭାପତି, ୪  ଜଣ ସାଧାରଣ ସଂପାଦକ, ଜଣେ ସାଧାରଣ  ସଂପାଦକ (ସଂଗଠନ), ୧୦ ଜଣ ସଂପାଦକ  ଓ ଜଣେ କୋଷାଧ୍ୟକ୍ଷ ରହିବେ। ଏହି କମିଟି ଘୋଷଣା ଯେ କୌଣସି ମୁହୁର୍ତ୍ତରେ ହୋଇପାରେ । ଦୁଇ  ଦିନ ହେବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ମାରାଥନ୍‌ ବୈଠକରୁ ଏହା ବାରି ହେଉଛି । କିଛି ଦଳୀୟ ନେତାଙ୍କ କହିବା  ଅନୁସାରେ ପ୍ରଥମେ ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା କରାଯିବ । ଏଥିରେ ୨୫  ପ୍ରତିଶତ ନୂଆ ମୁହଁ ଓ ୩୩ ପ୍ରତିଶତ ମହିଳା ସ୍ଥାନ ପାଇବେ। ପରବର୍ତ୍ତୀ ପର୍ଯ୍ୟାୟରେ କିଛି ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ଘୋଷଣା  କରାଯିବ। ସରକାରୀ ଓକିଲଙ୍କ ତାଲିକା ବି  ଜାରି ହେବ। କମିଶନ ପଦବି ବି ପୂରଣ  ହେବ। ଶେଷରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ  ହେବ। ତେବେ ଯେହେତୁ ବୈଠକ  ହେଉଥିଲା ତେଣୁ ସମସ୍ତ ପ୍ରସଙ୍ଗରେ  ଆଲୋଚନା ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀ ଗଠନ ବାବଦରେ ଚର୍ଚ୍ଚା ହୋଇଛି। ସଙ୍ଗଠନ ପର୍ବରେ ଜିଲ୍ଲା, ମଣ୍ଡଳ ଓ ପ୍ରଦେଶ ରହିଛି। ତେଣୁ ପ୍ରାୟ ସମସ୍ତ ପ୍ରସଙ୍ଗ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ଶୀଘ୍ର ଘୋଷଣା ହେବ ବୋଲି ଓଡ଼ିଶା ବିଜେପିର ସହପ୍ରଭାରୀ  ଲତା ସୂଚନା ଦେଇଛନ୍ତି ।  ଏ ସମ୍ପର୍କରେ ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ ସମସ୍ତଙ୍କ ସହ ବାରମ୍ବାର ଆଲୋଚନା ଓ ବିଚାରବିମର୍ଷ କରାଯାଉଛି। ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆମେ ମଧ୍ୟ ସେ ଦିଗରେ ଚେଷ୍ଟା ଜାରି ରଖିଛୁ ବୋଲି ଶ୍ରୀ ତୋମାର କହିଛନ୍ତି। 

Comments are closed, but trackbacks and pingbacks are open.