ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ ଗାଡିକୁ କାଳିମାଡ଼

22

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି I ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଗାଡ଼ିକୁ ଛାତ୍ର କଂଗ୍ରେସ ପକ୍ଷରୁ କାଳିମାଡ଼ କରାଯାଇଛି। ଏହା ସହିତ ଛାତ୍ର କଂଗ୍ରେସ କର୍ମୀମାନେ ତାଙ୍କ ଗାଡ଼ିକୁ ଘେରି ନାରାବାଜି କରିଥିଲେ। ସେମାନେ ସମ୍ବିତ ପାତ୍ର ଗୋ-ବ୍ୟାକ୍‌ ବୋଲି ନାରା ଦେଇଥିଲେ। ସେହିପରି ବଳଗଣ୍ଡି ଛକରେ ଟମାଟୋ ମାଡ଼ ମଧ୍ୟ କରାଯାଇଛି। ତେବେ ଟମାଟୋ ମାଡ଼ କେଉଁ ଦଳ କରିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ I ଛାତ୍ର ବିଜେଡି କର୍ମୀମାନେ ରନ୍ଧନ ଗ୍ୟାସ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏଭଳି କରିଥିବା କୁହାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି।

ଆଗାମୀ ଦିନରେ ଓଡିଶା ଗସ୍ତରେ ଯେଉଁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତା ଆସିବେ ସମସ୍ତଙ୍କ ଗସ୍ତକୁ ବିରୋଧ କରିବ ଛାତ୍ର କଂଗ୍ରେସ । ଗତକାଲି ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ହୋଇଥିବା ରାଲିରେ ଛାତ୍ର କଂଗ୍ରେସ କେନ୍ଦ୍ରୀୟ ବିଜେପି ନେତାଙ୍କୁ ବିରୋଧ କରିବ ବୋଲି ଚେତାବନୀ ଦେଇଥିଲା ।
ଅନ୍ୟପଟେ ଆଜି ହାତରେ ଜଗନ୍ନାଥଙ୍କ ମୂର୍ତି ଧରି ବଡଦାଣ୍ଡରେ ପହଁଚିଥିଲେ ବିଜେପି ନେତା ସମ୍ବିତ ପାତ୍ର । ଗତକାଲି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିବା ପରେ ଆଜି ପୁରୀରେ ପହଁଚିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଓଡିଆଙ୍କ ଭାବାବେଗ ଯୋଡିହୋଇ ରହିଥିବାରୁ ଜଗନ୍ନାଥଙ୍କ ମୂର୍ତି ଧରି ବଡଦାଣ୍ଡରେ ଚାଲିଛନ୍ତି । ଠିକ୍ ଯେମିତି ନିର୍ବାଚନ ସମୟରେ ହାତରେ ଜଗନ୍ନାଥଙ୍କ ମୂର୍ତି ଧରି ପୁରୀରେ ବୁଲୁଥିଲେ ଆଜି ସେମିତି ଢଙ୍ଗରେ ମୂର୍ତି ଧରି ବୁଲିଛନ୍ତି ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ. ସମ୍ବିତ ପାତ୍ର ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ବେଆଇନ ଭାବେ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି। ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ କୌଣସି ନିର୍ମାଣ ପାଇଁ ଅନୁମତି ଦେଇନାହାଁନ୍ତି, ଏହା ସତ୍ୱେ ରାଜ୍ୟ ସରକାର ଓବିସିସି ଓ ଟାଟା ପ୍ରୋଜେକ୍ଟ ରାତାରାତି ନିର୍ମାଣ କାର୍ଯ୍ୟ ଜାରୀ ରଖିଛି। ଯାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହୃଦୟରେ କୁଠାରଘାତ କରିଛି। ଏହି ବେଆଇନ ନିର୍ମାଣ ବନ୍ଦ କରିବା ପାଇଁ ସେ ଦାବି କରିଛନ୍ତି। ଏହା ସହିତ ସେ କହିଛନ୍ତି ରାଜ୍ୟ ସରକାର ଜିଦଖୋର ମନୋବୃତ୍ତି ସାଙ୍ଗକୁ କଳା ପାହାଡ଼ିଆ ମାନସିକତା ଛାଡ଼ନ୍ତୁ।’ ପ୍ରଭୁ ଜଗନ୍ନାଥ ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ’ I
ଏହି ଘଟଣାକୁ ନେଇ ଆଜି ପୁରୀ ରେ ବିଜେପି ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.