ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଙ୍ଗ,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

18

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗ ଓ ଏନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଦାବି କରିଛି। ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ଶୁକ୍ରବାର ବିଜେପିର ୫ଜଣ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ଜୁଏଲ୍‌ ଓରାମ୍‌, ସଙ୍ଗୀତା ସିଂହଦେଓ ଏବଂ ନୀତେଶ ଗଙ୍ଗଦେବ ପତ୍ର ମାଧ୍ୟମରେ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ କରାଯିବା ପ୍ରସଙ୍ଗରେ ଫଳପ୍ରଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ସନ୍ତୋଷଜନକ ପ୍ରସ୍ତାବନା ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ଥରକୁ ଥର ସଂସଦରେ ବିବୃତି ଦେଇଛନ୍ତି। ଏହାବ୍ୟତୀତ ବେଞ୍ଚ୍‌ର ସଠିକ ଅବସ୍ଥିତି, ନ୍ୟାୟସୀମା, ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦେବା ପ୍ରତିଶ୍ରୁତି ଏବଂ ବ୍ୟୟ ବହନ କରିବା ଆଦି ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସହିତ ବିଚାରବିମର୍ଶ କରି ସାମଗ୍ରିକ ପ୍ରସ୍ତାବନା ଦାଖଲ କଲେ ସଂସଦର ଉଭୟ ଗୃହରେ ସରକାର ପ୍ରସ୍ତାବନା ଆଗତ କରିବାକୁ ସମର୍ଥ ହେବେ ବୋଲି ଆଇନ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସବୁବେଳେ ଚିଠି ଲେଖି ଜଣାଉଛନ୍ତି। କିନ୍ତୁ ଏ ଦିଗରେ ବିଳମ୍ବ ଓ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଅଭାବରୁ ଏଭଳି ଅପ୍ରୀତିକର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲା। ଫଳରେ ସମ୍ବଲପୁରରେ ଅନେକ ଓକିଲ ଗିରଫ ହେଲେ ଓ ୪୩ରୁ ଊର୍ଦ୍ଧ୍ବ ଓକିଲଙ୍କ ଲାଇସେନ୍ସ ରଦ୍ଦ ‌ହେଲା। ଏଥିସହ ରାଜ୍ୟ ସରକାର ହିଁ ଏଭଳି ଦୁଃଖଦ ଘଟଣା ପାଇଁ ଦାୟୀ ବୋଲି କହିବା ସହିତ ଏହାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ପତ୍ରରେ ଉଲ୍ଲେଖ ରହିଛି।

Comments are closed, but trackbacks and pingbacks are open.