ବିଜେପି ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି

108

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ‌ହଦେଓ, ପ୍ରଭାତୀ ପରିଡ଼ା ଏବଂ ଦଳର ସମସ୍ତ ବିଧାୟକ ବି ଏଥିରେ ସାମିଲ ହୋଇଥିଲେ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଜେପି ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଏବେ ଏହା ଉପରେ ପୁନର୍ବିଚାର କରିବାକୁ ଦାବି ଜୋର ଧରିଛି। ଆଜି ବିଜେପି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଜନସାଧାରଣଙ୍କ ଭାବନାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି।
ସୂଚନାଥାଉ ଯେ, ଗତ ଡିସେମ୍ବର ୯ ତାରିଖରେ ଶୀତକାଳୀନ ଅଧିବେଶନ ସମୟରେ ବିଧାନସଭାରେ ସର୍ବସମ୍ମତି କ୍ରମେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲ୍ ପାରିତ ହୋଇଥିଲା। ଏଥିରେ ବିଧାୟକଙ୍କ ମୋଟ ଦରମା ଓ ଭତ୍ତା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ଦରମା ପ୍ରାୟ ତିନି ଗୁଣ ବଢ଼ିଥିଲା। ଏହା ସହିତ ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌ ରାଶିରେ ମଧ୍ୟ ବୃଦ୍ଧି ଘଟିଥିଲା। ତେବେ ଦରମା ବୃଦ୍ଧିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Comments are closed, but trackbacks and pingbacks are open.