ରାଜ୍ୟପାଳ ଦୌଡରେ ବିଜେପି ନେତା

18

କିଏ ହେବେ ରାଜ୍ୟପାଳ? । ଅନେକ ରାଜ୍ୟରେ ସରୁଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ । ରେସରେ ବିଜେପିର ଅନେକ ବରିଷ୍ଠ ନେତା
ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ନେଇ ଭଗତ ସିଂହ କୋଶିଆରୀଙ୍କ ଘୋଷଣା ପରେ କିଏ ହେବେ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେପଟେ ଅନେକ ରାଜ୍ୟରେ ମଧ୍ୟ ରାଜ୍ୟପାଳଙ୍କ ୫ ବର୍ଷର କାର୍ଯ୍ୟକାଳ ପୂରା ହୋଇସାରିଛି । ଏମିତିକି କିଛି ରାଜ୍ୟରେ ରାଜ୍ୟପାଳଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି ।

ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବିଡି ମିଶ୍ରା ଓ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ ତାଙ୍କ କାର୍ଯ୍ୟକାଳ କିଛି ଦିନ ପର୍ଯ୍ୟନ୍ତ ବଢାଯାଇଛି । ତା ସହ ବିଡି ମିଶ୍ରାଙ୍କୁ ମେଘାଳୟ ଏହଂ ଜଗଦୀଶ ମୁଖୀଙ୍କୁ ନାଗାଲାଣ୍ଡର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେହିଭଳି ସିକ୍କିମ ରାଜ୍ୟପାଳ ଗଙ୍ଗାପ୍ରସାଦ ଚଉରସିଆ ଏବଂ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ମଧ୍ୟ ୪ ବର୍ଷରୁ ଅଧିକ ହୋଇସାରିଛି । ୫ ବର୍ଷ ପୂରଣ ହେବା ପାଇଁ ଆଉ କିଛି ମାସ ଏବେ ବି ବାକି ରହିଛି । ତେବେ ଭଗତ ସିଂହ କୋଶିଆରୀଙ୍କ କାର୍ଯ୍ୟକାଳ ଆହୁରି ଅଢେଇ ବର୍ଷ ବାକି ରହିଥିବା ବେଳେ ଦୁଇ ଦିନ ତଳେ ସେ ନିଜ ପଦରୁ ଇସ୍ତଫା ଦେବା ନେଇ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ ମଧ୍ୟ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।

ତେବେ ରାଜ୍ୟପାଳ ପଦ ପାଇଁ ବିଜେପିର ଅନେକ ବରିଷ୍ଠ ନେତା ରେସରେ ଅଛନ୍ତି । ଗତ ବର୍ଷ ମାର୍ଚ୍ଚ ମାସରେ ୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ । ଏସବୁ ଭିତରେ ଆଗକୁ ବିଭିନ୍ନ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ ହେବା ନେଇ ଆଲୋଚନା ଚାଲିଛି ।

Comments are closed, but trackbacks and pingbacks are open.