ପିପିଲି ରେ ବିଜେଡି ର ବାଜିମାତ : ଗଡ଼ ହାତେଇଲେ ରୁଦ୍ର ମହାରଥୀ

28

ପିପିଲି ଗଡ଼ ହେଲା ରୁଦ୍ର ମହାରଥୀ ଙ୍କର I ବାପା ପ୍ରଦୀପ ମହାରଥୀଙ୍କ ପରେ ନିଜ ନିର୍ବାଚନ ମଣ୍ଡଳୀର ଟେକ ରଖିଛନ୍ତି ଜୁନିୟର ମହାରଥୀ। ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦, ୬୦୭ ହଜାର ଭୋଟ୍‌ରେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କଠୁ ଆଗୁଆ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ର ଙ୍କର ଶୋଚନୀୟ ପରାଜୟ ସହ ନିଜର ଅମାନତ ହରାଇଛନ୍ତି।
ପିପିଲି ଗଡ଼କୁ ପ୍ରଦୀପ ମହାରଥୀଙ୍କ ପରେ ଏବେ ସମ୍ଭାଳିବେ ଜୁନିୟର୍‌ ମହାରଥୀ । ପିପିଲି ଉପନିର୍ବାଚନର ଭୋଟ ଗଣତି ସରିଛି। ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୧୯୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୫୮୯ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ରଙ୍କ ମାତ୍ର ୪୨୨୮ ଖଣ୍ଡ ଭୋଟ୍ ମିଳିଛି।
ଆଜି ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଥିଲା। ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ରହିଥିଲେ। ଏହା ପରେ ରାଉଣ୍ଡ ପରେ ରାଉଣ୍ଡ ଗଣତି ସହ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କଠୁ ଆଗୁଆ ରହିଥିଲେ। ସମୟ ଗଡିବା ସହିତ ରୁଦ୍ର ମହାରଥୀ ଏବଂ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ବଢିବାରେ ଲାଗିଥିଲା।
ସୂଚନାଯୋଗ୍ୟ, ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡି ର ଅଭେଦ୍ୟ ଗଡ଼ ରହିଆସିଛି I ପ୍ରଦୀପ ମହାରଥୀ ଏହି ଆସନରେ ୭ ଥର ନିର୍ବାଚନ ଜିତିଥିଲେ। ହେଲେ ୧୯୯୯ରେ ବିଜେଡି ଗଠନ ପରେ ମହାରଥୀ ବିଜେଡି ଟିକେଟ୍‌ରେ କ୍ରମାଗତ ୨୦୦୦ରୁ ୨୦୧୯ ମଧ୍ୟରେ କ୍ରମାଗତ ୫ ଥର ବିଜୟୀ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମହାରଥୀଙ୍କୁ କଡା ଟକ୍କର ଦେଇଥିଲେ। ହେଲେ ବାପାଙ୍କ ଅନ୍ତେ ପୁଅ ତାଙ୍କ ଗଡକୁ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି ।
ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଉପ ନିର୍ବାଚନ କୁ ୨ ଥର ସ୍ଥଗିତ ରଖାଯାଇଥିଲା I ପ୍ରଥମେ କରୋନା ଓ ତାପରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ପିପିଲି ଉପ ନିର୍ବାଚନ ର ତାରିଖ ଘୋଷଣା ପରେ ସ୍ଥଗିତ ହୋଇଥିଲା। ଶେଷରେ ସେପ୍ଟେମ୍ବର ୩୦ରେ ଓଡିଶାର ଏହି ହାଇଭୋଲଟେଜ୍ ଆସନରେ ଭୋଟିଂ ହୋଇଥିଲା। ଏଥର ଭୋଟ ହାର ୧ ପ୍ରତିଶତ ବଢ଼ି ୭୮.୨୪ ପ୍ରତିଶତ ରହିଥିଲା।

(ଫୋଟୋ ସୌଜନ୍ୟ :ଗୁଗୁଲ)

Leave A Reply

Your email address will not be published.