ବିଜେଡି ର ଜାତିଆଣ କାର୍ଡ ରାଜନୀତି

27

ରାଜ୍ୟର ଦୁଇ କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସୂଚନା ଦେଇ କହିଛନ୍ତି ଯେ, ବିଜେଡି ଆଗାମୀ ଦିନରେ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ଓବିସି ବର୍ଗର ଲୋକଙ୍କୁ ଦେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଘୋଷଣା କରିଛନ୍ତି। କେନ୍ଦ୍ର ରେ ଚଳିତ ମାସ ଓବିସି ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି। ଏଣିକି ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ(ଏସଇବିସି) ତାଲିକା ପୂର୍ବଭଳି ପ୍ରସ୍ତୁତ କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ସଂରକ୍ଷଣ ସୁବିଧା ପାଉଛନ୍ତି। ସେହିପରି ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ସାମିଲ କରିପାରୁଛନ୍ତି I ରାଜ୍ୟର ୨୦୯ଟି ଜାତି ଓ ଉପଜାତି ଏବେ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ ଥିବାବେଳେ ରାଜ୍ୟଗୁଡ଼ିକ ଏସଇବିସି ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ହୋଇଛି। କିନ୍ତୁ ସଂରକ୍ଷଣରେ ଥିବା ୫୦ପ୍ରତିଶତ ସୀମାକୁ ଉଠାଇବାକୁ ବିଜେଡି ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି, ଯେଉଁଥିପାଇଁ ଓବିସି ବର୍ଗ ବା ଏସଇବିସି ବର୍ଗର ଲୋକଙ୍କୁ ମାତ୍ର ୨୭% ସଂରକ୍ଷଣ ରାଜ୍ୟରେ ଦିଆଯାଇପାରୁନି । ରାଜ୍ୟ ସରକାରଙ୍କ ଏସଇବିସି ଆଇନ-୨୦୦୮ରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ୨୭% ସଂରକ୍ଷଣ ଦେବା ସମ୍ଭବପର ହେଉନାହିଁ।

ତେବେ ପଛୁଆ ବର୍ଗଙ୍କ ସଠିକ ଗଣନା କରାଗଲେ ଅବା ଜାତିଭିତ୍ତିକ ଗଣନା ହେଲେ ତାକୁ ଆଧାର କରି ୫୦% ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ବୋଲି ଉଭୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ଶ୍ରୀ ସାହୁ କହିଛନ୍ତି।
ଅନ୍ୟପକ୍ଷରେ ଦୀର୍ଘ ୨୧ବର୍ଷ ଧରି ବିଜେଡି ରାଜ୍ୟରେ ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଫଳ ହୋଇଛି । ନିଜର ଦୀର୍ଘବର୍ଷର ବିଫଳତାକୁ ଲୁଚାଇବା ପାଇଁ ବିଜେଡି ଏବେ ନିର୍ବାଚନରେ ୨୭% ପ୍ରାର୍ଥୀ ଦେବ କହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ଏବେବି ଓବିସି ବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଉଛି। ବିଜେପି ଗତକାଲି ସାମ୍ବାଦିକ ସମ୍ମିଳନୀ କରି ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଓବିସିଙ୍କୁ ସଂରକ୍ଷଣ ନଦେବାକୁ କରିଥିବା ଚକ୍ରାନ୍ତକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରୁଛନ୍ତି ବୋଲି କହିବା ପରେ ବିଜେଡିର ଚେତା ପଶିଛି । ପଂଚାୟତ ନିର୍ବାଚନରେ ଭୋଟ୍ ହାତଛଡ଼ା ହେବା ଭୟରେ ଦଳ ଓବିିସି ବର୍ଗଙ୍କୁ ୨୭% ଟିକେଟ୍ ଦେବ ବୋଲି ଘୋଷଣା କରିଛି ।

Leave A Reply

Your email address will not be published.