ବ୍ରଜରାଜନଗର ଆସନ ରେ ବାଜି ମାରିଲା ବିଜେଡି

26

ବ୍ରଜରାଜନଗର ଉପନିର୍ବାଚନରେ ବାଜି ଜିତିଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ମୋଟ ୯୩ ହଜାର ୭୯୦ ଭୋଟରେ ଜିତିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପ୍ରାୟ ୬୫ ହଜାରରୁ ଅଧିକ ଭୋଟ୍‍ ହରାଇଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭ ହଜାର ୫୬୫ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨ ହଜାର ୩୧୬ ଭୋଟ ପାଇ ତୃତୀୟ ସ୍ଥାନକୁ ଖସିଛନ୍ତି I
ଦେଖିବାକୁଗଲେ ୨୦୧୯ ସାଧାରଣ ନିର୍ବାଚନ ଅପେକ୍ଷା ୨୦୨୨ ଉପନିର୍ବାଚନ ରେ ବିଜେଡି କ୍ରେଜ ଅଧିକ ବଢିଛି I ୨୦୧୯ ନିର୍ବାଚନରେ ବ୍ରଜରାଜନଗର ଆସନରୁ ବିଜେଡି ବିଧାୟକ ସ୍ବର୍ଗତଃ କିଶୋର ମହାନ୍ତି ମାତ୍ର ୧୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ତାଙ୍କର ଅକସ୍ମାତ ଦେହାନ୍ତ ପରେ ସେହି ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ତାଙ୍କ ପତ୍ନୀ ଅଳକା ମହାନ୍ତି ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛନ୍ତି । ଯାହା ସଂକେତ ଦେଉଛି ଏବେ ବି ନବୀନଙ୍କ ନେତୃତ୍ୱ ଉପରେ ସାଧାରଣ ଭୋଟରଙ୍କର ଭରସା ରହିଛି । ବ୍ରଜରାଜନଗର ଉପ-ନିର୍ବାଚନ ସହ ଗତ ୨୦୧୯ ପରଠାରୁ ହୋଇଥିବା ସମସ୍ତ ଉପ-ନିର୍ବାଚନରେ ବାଜିମାତ୍ କରିଛି ବିଜେଡି ।
ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀ ଅଳକା ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭରସା ଓ କର୍ମୀଙ୍କ ଉତ୍ସାହ ଯୋଗୁ ସେ ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏବେ ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବାକୁ ପ୍ରାଥମିକତା ଦେବି। ମୋ’ ସ୍ୱାମୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ବି ସକ୍ରିୟ ରହିବି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ କହିଛନ୍ତି, ନିର୍ବାଚନରେ ସରକାରୀ କଳକୁ ବ୍ୟବହାର କରି ଶାସକ ଦଳ ବିଜୟୀ ହୋଇଛି।

Comments are closed, but trackbacks and pingbacks are open.