ବିଜେପିରେ ସାମିଲ ହେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟ

16

ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଦଳକୁ ସ୍ୱାଗତ କରାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ନେତୃବୃନ୍ଦ ଦେବାଶିଷଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ବିଜେପିକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ, ଓଡ଼ିଶା ପ୍ରଦେଶ ବିଜେପି ସଭାପତି ମନମୋହନ ସାମଲ ଏବଂ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଦେବାଶିଷ ବିଜେଡିର ପ୍ରାଥମିକ ସଦସ୍ୟ ପଦ ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଦେବାଶିଷ ଦୀର୍ଘ ଦିନ ଧରି କଟକ ଜିଲ୍ଲାରେ ବିଜେଡିର ସଂଗଠନ ମଙ୍ଗ ସମ୍ଭାଳିଥିବାରୁ, ତାଙ୍କର ଏହି ଦଳବଦଳ ପରେ ଏବେ କଟକ ରାଜନୀତି ବେଶ୍ ସରଗରମ ହୋଇଉଠିଛି। ବିଜେଡି ଗଡ଼ରେ ଏହାର କି ପ୍ରଭାବ ପଡ଼ିବ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comments are closed, but trackbacks and pingbacks are open.