ବିଜେବି କଲେଜର ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ବୋତଲ ମାଡ଼

53

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ରଣକ୍ଷେତ୍ର ପାଲଟିଛି ବିଜେବି କଲେଜ ହଷ୍ଟେଲ। କଲେଜର ଦୁଇଟି ପ୍ରମୁଖ ହଷ୍ଟେଲ ଅଶୋକ ଓ ଆମ୍ବେଦକର ହଷ୍ଟେଲର ଛାତ୍ରମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ପୂରା କ୍ୟାମ୍ପସ ରଣକ୍ଷେତ୍ରରେ ପରିଣତ ହୋଇଛି। ଏହି ହିଂସାକାଣ୍ଡରେ ପ୍ରାୟ ୨୫ରୁ ଅଧିକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଛାତ୍ରମାନେ ପରସ୍ପର ଉପରକୁ କାଚ ବୋତଲ, ଠେଙ୍ଗା ଓ ପଥର ମାଡ଼ କରିଥିବା ଜଣାପଡ଼ିଛି। ଦୀର୍ଘ ଏକ ଘଣ୍ଟା ଧରି ହଷ୍ଟେଲ ପରିସରରେ ପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଆକ୍ରମଣ ଓ ପାଲଟା ଆକ୍ରମଣରେ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସମସ୍ତ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ କଲେଜ କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଛି। କଲେଜ କର୍ତ୍ତୃପକ୍ଷ ଓ ପୋଲିସ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି।
ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଅଶୋକା ହଷ୍ଟେଲରେ ଫେରୱେଲ ପାର୍ଟି ଚାଲିଥିଲା । ସମୟସୀମା ପରେ ରାତିରେ ଡିଜେ ବଜାଇ ନାଚୁଥିଲେ ହଷ୍ଟେଲ ପିଲା । ଏନେଇ ଆମ୍ବେଦକର ହଷ୍ଟେଲର କିଛି ପିଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଡିଜେ ବନ୍ଦ କରିଥିଲା । ଏହାପରେ ଦୁଇ ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

Comments are closed, but trackbacks and pingbacks are open.