ଅଧାରେ ରହିଲା ବିରଜା ଦର୍ଶନ, ଟ୍ରକ୍ ଚାପାରେ ୨ ମହିଳା ମୃତ

30

ଭୁବନେଶ୍ବର: ଅଘଟଣରୁ ବର୍ତ୍ତିବା ପାଇଁ କାର୍‌ରୁ ଡେଇଁ ପଡ଼ିଲେ । ହେଲେ ଟ୍ରକ୍ ଚାପି ଦେବାରୁ ଜୀବନ ହାରିଲେ । ଆଜି ଦୁଇ ଜଣ ମହିଳାଙ୍କ ସହିତ ଏଭଳି ଏକ ଘଟଣା ଘଟିଛି । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ । ମୃତ ମହିଳା ଦ୍ୱୟ ହେଲେ ଗୀତାଞ୍ଜଳି ପାଢ଼ୀ (୬୬) ଓ ସସ୍ମିତା ପାଢ଼ୀ (୫୨) । ସେମାନେ ଭୁବନେଶ୍ୱରର ସହିଦନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱର ସହିଦନଗର ଅଞ୍ଚଳର ଗୋପାଳକୃଷ୍ଣ ପାଢୀଙ୍କ ପରିବାର ସଦସ୍ୟ ରବିବାର ମା’ ବିରଜାଙ୍କ ଦର୍ଶନ ପାଇଁ ଏକ ଟାଭେରା କାର୍ ଯୋଗେ ଯାଜପୁର ଆସୁଥିଲେ । ତେବେ ୧୬ ନଂ ଜାତୀୟ ରାଜପଥର ଛତିଆ ଭଟିଆ ଛକ ଠାରେ ଥିବା କାକରା ବଜାର ନିକଟରେ ସେମାନେ ଜଳଖିଆ ଖାଇବା ପାଇଁ ଅଟକି ଥିଲେ । ଡ୍ରାଇଭର ଓ ପରିବାରର ଅନ୍ୟମାନେ ଜଳଖିଆ ଖାଇବାକୁ ଯାଇଥିବା ବେଳେ ଗୀତାଞ୍ଜଳି ଓ ସସ୍ମିତା ଗାଡ଼ିରେ ଥିଲେ । ତେବେ ଡ୍ରାଇଭର ଗାଡ଼ିର ହ୍ୟାଣ୍ଡବ୍ରେକ୍ ଦେବାକୁ ଭୁଲି ଯାଇଥିଲେ । ଫଳରେ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଗାଡ଼ିଟି ହଠାତ୍ ଗଡ଼ିବାକୁ ଆରମ୍ଭ କରିଥିଲା । ଗାଡ଼ିଟି ଏନ୍‌ଏଚ୍ ଉପରକୁ ଚାଲି ଯାଇଥିଲା । ଏହା ଦେଖି ଅଘଟଣରୁ ବର୍ତ୍ତିବା ପାଇଁ ଗୀତାଞ୍ଜଳି ଓ ସସ୍ମିତା ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ । ତେବେ ସେମାନେ କାରରୁ ଡେଇଁବା ମାତ୍ରେ ପଛରୁ ଆସୁଥିବା ଏ.ପି୨୬ ଟିଡ଼ି ୫୪୪୫ ନଂ ବିଶିଷ୍ଟ ଏକ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଖବର ପାଇ ବୈରୀ ଥାନା ଅଧିକାରିଣୀ ସଂଘମିତ୍ରା ନାୟକ ଓ ଛତିଆ ବିଟ୍ ହାଉସ୍ ଅଧିକାରୀ ନାରାୟଣ ପ୍ରସାଦ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଧକ୍କା ଦେଇଥିବା ଟ୍ରକ୍‌କୁ ଜବତ କରିଥିଲେ । ମୃତକଙ୍କ ପରିବାର ପକ୍ଷରୁ ଗୋପାଳକୃଷ୍ଣ ପାଢୀ ଏକ ଲିଖିତ ଅଭିଯୋଗ କରିଥିବାବେଳେ ବୈରୀ ଥାନା ପୁଲିସ କେଶ୍ ନଂ ୧୩୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.