ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିଲାବଲ୍ ଭୁଟ୍ଟୋଙ୍କ ଆପତ୍ତିଜନ ଟିପ୍ପଣୀ: ବିଦେଶ ମନ୍ତ୍ରଣାଳୟର କଡ଼ା ଜବାବ

26

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ୍ ଭୁଟ୍ଟୋଙ୍କ ଆପତ୍ତିଜନକ ବୟାନକୁ ନେଇ ଭାରତ କଡ଼ା ଜବାବ ଦେଇଛି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ବିଲାବଲ୍‌ଙ୍କ ଟିପ୍ପଣୀକୁ ନୀଚ ସ୍ତରର ବୋଲି କହିଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍ ବାଗ୍‌ଚୀ କହିଛନ୍ତି, ପାକିସ୍ତାନ ବିଦେଶ ମନ୍ତ୍ରୀ ବୋଧହୁଏ ୧୯୭୧କୁ ଭୁଲିଯାଇଛନ୍ତି, ଯାହା ବଙ୍ଗାଳୀ ଏବଂ ହିନ୍ଦୁଙ୍କୁ ଶେଷ କରିବାର ଉଦ୍ୟମ ଥିଲା । ସେ କହିଛନ୍ତି ସଂଖ୍ୟାଲଘୁଙ୍କ ମାମଲାରେ ଏବେ ବି ପାକିସ୍ତାନର ସେହି ପ୍ରକାର ବ୍ୟବହାର ରହିଛି । ପାକିସ୍ତାନ ଏପରି କୌଣସି କାର୍ଯ୍ୟ କରିନାହିଁ ଯେ ଭାରତ ପରି ଗଣତନ୍ତ୍ର ଉପରେ ଅଙ୍ଗୁଳି ଉଠାଇପାରିବ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା, ଫଣ୍ଠିଂ ମାଧ୍ୟମରେ ଆତଙ୍କବାଦକୁ ପ୍ରାୟୋଜିତ କରିବାରେ ପାକିସ୍ତାନର ସ୍ପଷ୍ଟ ଭୂମିକା ସମସ୍ତେ ଦେଖୁଛନ୍ତି । ଅରିବନ୍ଦ ବାଗ୍‌ଚୀ କହିଛନ୍ତି, ପାକ୍ ବିଦେଶ ମନ୍ତ୍ରୀଙ୍କ ଏପରି ଅସଭ୍ୟ ଟିପ୍ପଣୀ ଆତଙ୍କବାଦୀଙ୍କୁ ବ୍ୟବହାର କରିନପାରିବା ହତାଶାକୁ ଦର୍ଶାଉଛି । ମୁମ୍ବାଇ, ନ୍ୟୁୟର୍କ, ପୁଲୱାମା, ପଠାଣକୋଟ, ଲଣ୍ଡନ ସବୁ ସହରରେ ପାକିସ୍ତାନ ପ୍ରୋତ୍ସାହିତ ଏବଂ ସମର୍ôଥତ ଆତଙ୍କର ଦାଗ ରହିଛି । ପାକିସ୍ତାନର ସ୍ୱତନ୍ତ୍ର ଆତଙ୍କବାଦୀ ଜୋନ୍‌ରୁ ବିଶ୍ୱକୁ ରତ୍ପାନୀ କରାଯାଉଥିବା ଏହି ମେଡ୍ ଇନ୍ ପାକିସ୍ତାନ ଆତଙ୍କବାଦ ବନ୍ଦ ହେବା ଉଚିତ । ସେ କହିଛନ୍ତି, ପାକିସ୍ତାନ ଏପରି ଏକ ଦେଶ ଯିଏ ଓସାମା ବିନ୍ ଲାଦେନ୍‌କୁ ସହିଦ ରୂପେ ମହିମାମଣ୍ଡିତ କରିବା ସହିତ ଲଖ୍‌ଭୀ, ହାଫିଜ୍ ସୟିଦ୍‌, ମାସୁଦ୍ ଆଝାର୍‌, ସାଜିଦ୍ ମୀର ଏବଂ ଦାଉଦ୍ ଇବ୍ରାହିମ୍ ପରି ଆତଙ୍କବାଦୀଙ୍କୁ ଶରଣ ଦେଇଛି । କୌଣସି ଦେଶ ୟୁଏନ୍ ଦ୍ୱାରା ବ୍ୟାନ୍ ଆତଙ୍କବାଦୀଙ୍କୁ ଶରଣ ଦିଅନ୍ତି ନାହିଁ । ଏତିକିରେ ନଅଟକି ବାଗ୍‌ଚୀ କହିଛନ୍ତି, ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ ମୁମ୍ବାଇ ଆକ୍ରମଣରୁ ବଞ୍ଚିଯାଇଥିବା ଅଞ୍ଜଳି କୁଲ୍‌ଚେଙ୍କୁ ଶୁଣିବାର ଥିଲା । ସେ ପାକିସ୍ତାନ ଆତଙ୍କୀ ଅଜମଲ୍ କସାବର ଗୁଳିରୁ ୨୦ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ମାତ୍ର ପାକ୍ ବିଦେଶ ମନ୍ତ୍ରୀ ଏଥିରେ ପାକିସ୍ତାନର ଭୂମିକା ଲୁଚାଇବାକୁ ପ୍ରୟାସ ପାଇଁ ଲାଗିଥିଲେ ବୋଲି ସ୍ପଷ୍ଟ ହୋଇଛି । ଆତଙ୍କବାଦକୁ ଦେଶର ନୀତିରେ ପରିଣତ କରିସାରିଥିବା ପାକିସ୍ତାନରେ ଥିବା ଆତଙ୍କୀ ସର୍ଦ୍ଦାରମାନଙ୍କ ପ୍ରତି ପାକ୍ ବିଦେଶ ମନ୍ତ୍ରୀ ନିଜର ଏହି ହଶତାଭାବ ପ୍ରକଟ କଲେ ଭଲ ହେବ ବୋଲି ବାଗ୍‌ଚୀ କହିଛନ୍ତି । ଅନ୍ୟପକ୍ଷରେ ବିଲାବଲଙ୍କ ଆପତ୍ତିଜନକ ଟିପ୍ପଣୀ ବିରୋଧରେ ବିଜେପି ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନ ଆଗରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସୂଚନାଯୋଗ୍ୟ, ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ୍ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଟିପ୍ପଣୀ କରି କହିଥିଲେ, ‘ଓସାମା ବିନ୍ ଲାଦେନ୍ କରିଗଲାଣି, ମାତ୍ର ଗୁଜରାଟର ହତ୍ୟାକାରୀ ଏବେ ବି ଜୀବିତ ।’ ଭାରତ ଦ୍ୱାରା ପାକିସ୍ତାନକୁ ‘ଆତଙ୍କବାଦର କେନ୍ଦ୍ର’ କୁହାଯିବା ଉପରେ ପ୍ରତିକ୍ରିୟା ଦେଶ ଭୁଟ୍ଟୋ ଏହା କହିଥିଲେ ।

Comments are closed, but trackbacks and pingbacks are open.