ବିଜୁ ବାବୁଙ୍କୁ ଅପମାନ ପ୍ରସଙ୍ଗ: ବିରୋଧୀଙ୍କ ନାରାବାଜିରେ କମ୍ପିଲା ଗୃହ

66

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଆଜି ଓଡ଼ିଶା ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ବିଜେଡି ଓ କଂଗ୍ରେସ ସମେତ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ତୀବ୍ର ପ୍ରତିବାଦ ଜଣାଇବା ସହ ନାରାବାଜି କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ “ବରପୁତ୍ର ବିଜୁ ବାବୁ ଅମର ରହେ” ଏବଂ “ଓଡ଼ିଆ ଅସ୍ମିତାର ଅପମାନ ଚଳିବ ନାହିଁ” ଭଳି ସ୍ଲୋଗାନ ଦେଇ ଗୃହକୁ କମ୍ପାଇଥିଲେ। ବିଜୁ ବାବୁଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ସମଗ୍ର ଓଡ଼ିଆ ଜାତିର ସମ୍ମାନକୁ ଆଘାତ ଦେଇଛି ବୋଲି ଦର୍ଶାଇ ଏହା ଉପରେ ସରକାରଙ୍କ ସ୍ପଷ୍ଟିକରଣ ଦାବି କରିଥିଲେ ବିରୋଧୀ। ହଙ୍ଗାମା ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଗୃହରେ ଅନୁପସ୍ଥିତ ଥିବାବେଳେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଅନ୍ୟପଟେ, ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ପତ୍ର ଲେଖିବା ସହ ଏକ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଛନ୍ତି। ବିରୋଧୀ ସଦସ୍ୟମାନେ ଟେବୁଲ୍ ବାଡ଼େଇ ପ୍ରତିବାଦ କରିବା ସହ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବାଚସ୍ପତିଙ୍କ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Comments are closed, but trackbacks and pingbacks are open.