କ୍ରାଇମ୍‌ବ୍ରାଞ୍ଚ ନଜର ରେ ବଡବଡିଆ

31

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ର ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ ହାତରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିଛି I କ୍ରାଇମ୍‌ବାଞ୍ଚ ଟିମ୍ ଗୁରୁବାର କାହାକୁ ବି ଜେରା କରିନାହିଁ । କେବଳ ସେମାନେ ରହୁଥିବା ପୁଲିସ୍ ଗେଷ୍ଟ ହାଉସରେ ଗତ ୫ ଦିନର ଛାନ୍‌ଭିନ୍‌ ଏବଂ ପଚରାଉଚୁରାରେ ଯାହା ତଥ୍ୟ ମିଳିଛି ତାର ତର୍ଜମା କରିଛନ୍ତି। ପୁଣି ଆଗକୁ କେଉଁ ଦିଗକୁ ଧ୍ୟାନ ରେ ରଖି ତଦନ୍ତ କରିବେ ତାହାର ମାଷ୍ଟର ପ୍ଲାନ ବି କରିଛନ୍ତି । କିନ୍ତୁ ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ , । ଯଥା ସମ୍ଭବ ନୀରବତା ଅବଲମ୍ବନ କରୁଛନ୍ତି କ୍ରାଇମବ୍ରାଞ୍ଚ I ଯାହା ଜଣI ପଡୁଛି କ୍ରାଇମବ୍ରାଞ୍ଚ ନଜର ରେ ଫସି ପାରନ୍ତି କିଛି ବଡବଡିଆ I ଏଥିପାଇଁ ଆସନ୍ତାକାଲି ଘଟଣାର ଅନ୍ୟତମ ଅଭିଯୁକ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇପାରେ। ଏହି ଘଟଣାର ତଦନ୍ତ କରୁଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ମଧ୍ୟ କ୍ରାଇମବ୍ରାଞ୍ଚ ନଜର ରେ ଅଛନ୍ତି । ପୁଲିସର ତଦନ୍ତକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇଥିବା ମାନବାଧିକାର ପରିଷଦ କିନ୍ତୁ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିଛି। ଏଥିସହ ଅତିଶୀଘ୍ର ଘଟଣା ପଛର ସତକୁ କ୍ରାଇମବ୍ରାଞ୍ଚ ଲୋକଲୋଚନକୁ ଆଣିପାରିବ ବୋଲି ସେମାନେ ଆଶା ରଖିଥିବା କହିଛନ୍ତି ।
ଗତ ଜୁଲାଇ ୧୨ତାରିଖ ରାତିର ଘଟଣା ପଛର ସତକୁ ଲୋକଲୋଚନକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ପୁରା ଦମ୍ ଲଗାଇଛି । ଗତ ୧୪ତାରିଖ ଦିନ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ପହଂଚିବା ପରେ ଘଟଣାସ୍ଥଳ ଯାଇ ଛାନଭିନ କରିଥିଲା । ୧୫ ତାରିଖ ଦିନ ପୂର୍ବରୁ ପୁଲିସ କରିଥିବା ତଦନ୍ତ ଏଥିରୁ ଆସିଥିବା ତଥ୍ୟ ସଂପର୍କରେ ତଦନ୍ତକାରୀ ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସହ ଆଲୋଚନା କରିଥିଲେ । ୧୬ତାରିଖରୁ ଏହି ଘଟଣାରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଡାକି ପଚରା ଉଚୁରା ଆରମ୍ଭ କରିଥିଲା । ୧୬ତାରିଖରେ ଘଟଣାର ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କ ସମେତ ଦୁଇଜଣ ଏସିଏଫ ଏବଂ ଅନ୍ୟ ଜଣେ ବନ କର୍ମଚାରୀ ଆକାଶ ପ୍ରଧାନଙ୍କୁ ଜେରା କରାଯାଇଥିଲା। ୧୭ ତାରିଖରେ ଡିଏଫଓଙ୍କ ଫାଟକ ଜଗୁଆଳି ସନ୍ତୋଷ ବିଶ୍ୱାଳ, ମାଳି ଅଜୟ ବେହେରା ଓ ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲା । ସେହିଭଳି ୧୮ତାରିଖରେ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇଜଣ ଡାକ୍ତର ଅଭିଳାଷ ପଣ୍ଡା, ବିଶୋର ଚନ୍ଦ୍ର ବେହେରା ଏବଂ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଥିଲା ।
ଏହି ୩ଦିନରେ ପ୍ରାୟ ୧୨ ଜଣଙ୍କୁ ପଚରାଉଚୁରା କରାଯାଇଥିବା ବେଳେ ଘଟଣା ସ୍ଥଳ ଛାନଭିନ୍ କରିଛି । ଏହାରି ଭିତରେ ଜଗୁଆଳି ଏବଂ ଡାକ୍ତରଙ୍କ ବୟାନ ଅନେକ ଗୁମର ଖୋଲିଛି। ଜଗୁଆଳି ଘଟଣା ଦିନ ଜିଲ୍ଲାପାଳଙ୍କ ଉପସ୍ଥିତି ନେଇ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଥିଲେ। ସେହିପରି ସୌମ୍ୟଙ୍କ ସ୍ଵାସ୍ଥ୍ୟବସ୍ଥା ଏବଂ ମୃତ୍ୟୁକାଳୀନ ଜମାନବନ୍ଦୀ ସଂପର୍କରେ ଡାକ୍ତରଙ୍କୁ ଜେରା ବେଳେ ବହୁ ତଥ୍ୟ କ୍ରାଇମବ୍ରାଞ୍ଚ ପାଇଛି । ତେଣୁ ଗୁରୁବାର ୫ଦିନର ପଚରାଉଚୁରା ଏବଂ ତଦନ୍ତ ବେଳେ କଣ ସବୁ ତଥ୍ୟ ଆସିଛି ତାହାର ତର୍ଜମା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ କ୍ରାଇମବ୍ରାଞ୍ଚ ଟିମ୍ ଆପୋଷ ଆଲୋଚନା କରିଛି । ତଦନ୍ତରେ ପୁଲିସ ଶିଥିଳତା ଦେଖାଇବା ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଦିଗ ଛାଡିଥିବା ନେଇ ପରୂର୍ବରୁ ଅଭିଯୋଗ ହେଉଥିବା ବେଳେ କ୍ରାଇମବାଂଚ ସେସବୁ ଦିଗରୁ ତଦନ୍ତ କରୁଛି । ତେଣୁ ଏଥିରେ ସନ୍ତୋଷ ପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚ ଏହି ଘଟଣାର ରହସ୍ୟ ଉପରୁ ପରଦା ହଟାଇପାରିବ ବୋଲି ବର୍ତମାନ ସୁଦ୍ଧା ବିଶ୍ଵାସ ହେଉଥିବା କହିଛନ୍ତି ଆନ୍ତର୍ଜାତୀୟ ମାନବାଧିକ ପରିଷଦର ସଂପାଦକ ପ୍ରନୋଜ ପଟ୍ଟନାୟକ ।
ଜେରା ବେଳେ ଜଗୁଆଳି ଘଟଣା ଦିନ ସେହି ସ୍ଥାନରେ ଜିଲ୍ଲାପାଳ ଉପସ୍ଥିତ ଥିବା କହିଛନ୍ତି । ଏହାପରେ ଜିଲ୍ଲାପାଳ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି । ସେହିଦିନ ଜିଲ୍ଲାପାଳ କାହିଁକି ସେଠାକୁ ଯାଇଥିଲେ ଏବଂ ଏହି ରହସ୍ୟଜନକ ମୃତ୍ୟୁ ଘଟଣା ସହ ତାଙ୍କ ସଂପର୍କ କଣ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଭଳି ବାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାର ୪୮ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଜିଲ୍ଲାପାଳ ପଦୁଟିଏ ମଧ୍ୟ କହିନାହାନ୍ତି । ଏପରିକି ଆଜି ଶିକ୍ଷାମନ୍ତ୍ରୀ ଗଜପତି ଜିଲ୍ଲା ଗସ୍ତ କରି ସମୀକ୍ଷା କରିଥିଲେ ମଧ୍ୟ ସେଠାରେ ଜିଲ୍ଲାପାଳଙ୍କ ଦେଖା ମିଳିନଥିଲା । ଏହି ଘଟଣାର ତଦନ୍ତ ପ୍ରଥମେ ପୁଲିସ କରୁଥିବା ବେଳେ ଗଜପତି ଜିଲ୍ଲାର ତତ୍କାଳୀନ ଏସପି ତପନ ପଟ୍ଟନାୟକ କେବଳ ବିଦ୍ୟାଭାରତୀଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନ ଚିଟ ଦେଇଥିଲେ । ଯାହାକୁ ନେଇ ଜିଲ୍ଲା ପୁଲିସ ବିବାଦକୁ ଆସିଥିଲା । ଘଟଣାକୁ ଇତି ମଧ୍ୟରେ ୩୮ଦିନ ବିତିସାରିଥିବା ବେଳେ ପ୍ରାୟ ୩୨ଦିନ ତଦନ୍ତ କରୁଥିବା ପୁଲିସ୍ ଜିଲ୍ଲାପାଳଙ୍କ ଉପସ୍ଥିତି ନେଇ ପଦୁଟିଏ ମଧ୍ୟ କହିନଥିଲା । ସେହିପରି ଚିକିତ୍ସା କରୁଥିବା ଡାକ୍ତର କିମ୍ବା ତହସିଲଦାରଙ୍କୁ ପୁଲିସ ପଚରା ଉଚୁରା କରିନଥିଲା । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ସେମାନଙ୍କୁ ପଚରାଉଚୁରା କରିଛି । ଫଳରେ ପୁଲିସ ତଦନ୍ତ ସମୟରେ ଅନେକ ଦିଗକୁ ଛାଡିଦେଇଥିବା ଅଭିଯୋଗର ସତ୍ୟତା ମନେ ହେଉଛି । ଏହି ଘଟଣା ଡିଏଫଓଙ୍କ ସଂପୃକ୍ତି ନେଇ ସୌମ୍ୟଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳଙ୍କ ଉପସ୍ଥିତି ଘଟଣା ଆଉ ଜଣେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ସନ୍ଦେହ ମଧ୍ୟକୁ ଟାଣିଆଣିଛି । ତେବେ ଯେଉଁମାନେ ଏହି ଘଟଣା ସହିତ ଜଡିତ ଥିବା ଜଣାପଡିବ ସମସ୍ତଙ୍କୁ ତଦନ୍ତ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।
କ୍ରାଇମବ୍ରାଞ୍ଚ ତଦନ୍ତକୁ ଆଜି ୬ଦିନ ପୁରିଛି । ଏହାରି ଭିତରେ ୧୨ଜଣଙ୍କୁ ଜେରା କରିଛି । ୩୨ଦିନ ମଧ୍ୟରେ ଯାହା ପୁଲିସ କରିପାରିନଥିଲା ମାତ୍ର ୬ଦିନରେ ତାହା କରିଛି କ୍ରାଇମବ୍ରାଞ୍ଚ । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ହାସଲ କରିଛି । ହେଲେ ଘଟଣାର ରହସ୍ୟ ଉପରୁ କେବେ ପରଦା ହଟୁଛି ତାହା ଉପରେ ସମସ୍ତଙ୍କ ନଜର । ସେହିପରି ସୌମ୍ୟରଂଜନ ଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିବା ତହସିଲଦାର ଙ୍କ ନିକଟରେ ଭିଡ଼ିଓ କ୍ଲିପିଙ୍ଗ ଅଛି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ I ଜଣେ ୯୦ ପ୍ରତିଶତ ପୋଡି ଯାଇଥିବା ଲୋକ କେଉଁ ମାନସିକ ଅବସ୍ଥା ରେ ଜମାନବନ୍ଦୀ ଦେଇଥିଲା ତାହା କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ ହେବ I ଏପଟେ ସୌମ୍ୟ ଙ୍କ ବାପା ଯେଉଁ ଗୁରୁତର ଅଭିଯୋଗ ଆଣିଛନ୍ତି କି ସୌମ୍ୟ ଙ୍କ ମୃତ ଦେହରୁ ତାଙ୍କ ଜିଭ ଓ ଅଣ୍ଡକୋଷ କାଟି ଦିଆଯାଇଥିଲା ବୋଲି ସେ ସବୁ କିଏ ଏବଂ କାହିଁକି କରିଥିଲା ଏହା ଉପରୁ ମଧ୍ୟ କ୍ରାଇମବ୍ରାଞ୍ଚ ପରଦା ହଟାଇବା ସହିତ ,ସତ୍ୟ ପଦାକୁ ଆଣି ସୌମ୍ୟ ଙ୍କ ପରିବାର କୁ ନ୍ୟାୟ ଦେବ ବୋଲି ଆଶା କରାଯାଉଛିI

Leave A Reply

Your email address will not be published.