ଆମେରିକାକୁ ବଡ଼ ଝଟକା: ଶକ୍ତିଶାଳୀ A-10 ଲଢ଼ୁଆ ବିମାନକୁ ଖସାଇ ଦେବା ନେଇ ଇରାନର ଦାବି

107

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ଏହି କ୍ରମରେ ଆମେରିକାର ଏକ ଶକ୍ତିଶାଳୀ A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ନେଇ ଇରାନ ସେନା ଦାବି କରିଛି। ‘ଅଲ୍‌ ଜଜିରା’ର ରିପୋର୍ଟ ଅନୁଯାୟୀ, ବିଶ୍ୱର ଅତି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ‘ହର୍ମୁଜ ପ୍ରଣାଳୀ’ ନିକଟରେ ଏହି ଘଟଣା ଘଟିଛି। ଇରାନର ସରକାରୀ ଗଣମାଧ୍ୟମ ଏବଂ ‘ତସନିମ୍ ନ୍ୟୁଜ୍ ଏଜେନ୍ସି’ ସୂଚନା ଦେଇଛି ଯେ, ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ଜଳପଥର ଦକ୍ଷିଣ ଭାଗରେ ଆମେରିକୀୟ ବିମାନକୁ ଟାର୍ଗେଟ୍ କରାଯାଇଥିଲା। ତେବେ ଏହି ଦାବି ସମ୍ପର୍କରେ ପେଣ୍ଟାଗନ୍ କିମ୍ବା ହ୍ୱାଇଟ୍ ହାଉସ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପଟେ, ଏହି ଘଟଣା ମଧ୍ୟରେ ଆଉ ଏକ ଖବର ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଇରାନ ସୀମା ମଧ୍ୟରେ ଆମେରିକୀୟ ବାୟୁସେନାର ଏକ F-15E ଷ୍ଟ୍ରାଇକ୍ ଇଗଲ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। CNNର ରିପୋର୍ଟ ଅନୁଯାୟୀ, ଦୁଇ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ଆମେରିକୀୟ ସେନା ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ସଦସ୍ୟଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅନ୍ୟ ଜଣଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଇରାନ ଗଣମାଧ୍ୟମରେ ପ୍ରସାରିତ ଭଗ୍ନାବଶେଷର ଭିଡିଓ ଏବଂ ଫଟୋକୁ ଅନୁଧ୍ୟାନ କରି CNN ଏହା ଏକ F-15 ବିମାନ ବୋଲି ନିଶ୍ଚିତ କରିଛି।

Comments are closed, but trackbacks and pingbacks are open.