ଭୁବନେଶ୍ଵର: ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ବିଧାନସଭା ଅଚଳ। ମାତ୍ର ୭ ମିନିଟ୍ ଚାଲିଲା ବିଧାନସଭା। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ନାରାବାଜିରେ ଚାଲିପାରୁନି ଗୃହ। ପ୍ରଶ୍ନ କାଳ ଆରମ୍ଭରୁ ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ଅପରାହ୍ନ ୪ଟା ଯାଏଁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରି ଅଫିସରମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି। ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ପ୍ରତିବାଦ କରିଛି। ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୂନର୍ବିଚାର କରିବାକୁ ଦଳ ଦାବି କରିଛି। ସେପଟେ ଅନାସ୍ଥା ନ ଆଣିବାକୁ ଫନ୍ଦି କରିବା ଅଭିଯୋଗରେ କଂଗ୍ରେସ ପ୍ରତିବାଦ କରିଛି। ଯାହାକୁ ନେଇ ଗୃହ ବେଶ ସରଗରମ୍ ରହିଛି। ଚଳିତ ବର୍ଷ ବିଳମ୍ଵରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଏଥର ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି। ହେଲେ ସରକାରଙ୍କ ଉପରେ ବିରୋଧୀ ବିଜେଡି ଓ କଂଗ୍ରେସ ଭାରି ପଡ଼ିଛନ୍ତି। ଏହାରି ଭିତରେ ଆଜିକୁ ମିଶାଇ ୪ଟି କାର୍ଯ୍ୟ ଦିବସ ସରିବାକୁ ବସିଥିବା ବେଳେ ଆଉ ମାତ୍ର ୩ଟି କାର୍ଯ୍ୟ ଦିବସ ରହିଛି। ଅଚଳାବସ୍ଥାରେ ଗୃହ ଚାଲିଛି।
Comments are closed, but trackbacks and pingbacks are open.