ରାଜଧାନୀ ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା

165

ଭୁବନେଶ୍ୱର: ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା(ହେଲ୍‌ଥ ଡିଷ୍ଟ୍ରିକ୍ଟ) । ଏଥିପାଇଁ ବିଭାଗୀୟସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଦିନକୁ ଦିନ ଭୁବନେଶ୍ୱର ସହରର ପରିସର ବଢ଼ିବାରେ ଲାଗିଛି । ଲୋକସଂଖ୍ୟା ମଧ୍ୟ ବଢ଼ିଚାଲିଛି । ରାଜ୍ୟର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଏହିଠାରେ ରହିଛି । ସେ ଦୃଷ୍ଟିରୁ ଦେଖିଲେ, ଭୁବନେଶ୍ୱରକୁ ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ମିଳିବା କଥା । ଗତ ଶନିବାର ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସିଟି ହେଲ୍‌ଥ ସୋସାଇଟିର ଇସି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକାରୀମାନେ ସ୍ୱାସ୍ଥ୍ୟ ଜିଲ୍ଲା ଉପରେ ଗୁରୁତ୍ୱ ଦେଇଥିଲେ। ଦୀର୍ଘ ସମୟ ଧରି ଏବାବଦରେ ଆଲୋଚନା ହୋଇଥିଲା । ଖୁବଶୀଘ୍ର ଏହି ନିଷ୍ପତ୍ତି ଉପରେ ଚୂଡ଼ାନ୍ତ ମୋହର ବାଜିବାର ସମ୍ଭାବନା ରହିଥିବା ଏନଏଚଏମ୍‌ର ଜଣେ ଅଧିକାରୀ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱର ସ୍ଥାପିତ ହେବାକୁ ଇତିମଧ୍ୟରେ ୭୭ ବର୍ଷ ବିତିଗଲାଣି । ଭୌଗୋଳିକ ଦୃଷ୍ଟିକୋଣକୁ ଦେଖିଲେ ବର୍ତ୍ତମାନ ଭୁବନେଶ୍ୱରର କ୍ଷେତ୍ରଫଳ ୧୮୬ ବର୍ଗ କିମି । ୨୦୧୧ ଜନସଂଖ୍ୟା ରିପୋର୍ଟ ହିସାବରେ ଏଠାରେ ଏବେ ୮ଲକ୍ଷ ୩୭ ହଜାର ଲୋକ ବାସ କରଥିଲେ । ବର୍ତ୍ତମାନ ଲୋକସଂଖ୍ୟା ୧୨ ଲକ୍ଷରୁ ଅଧିକ ହେଲାଣି । ଏଠାରେ ୬୭ଟି ୱାର୍ଡ ରହିଛି । ସହର ବାଦ୍‌ ଉପକଣ୍ଠ ଅଞ୍ଚଳ ଦିନକୁଦିନ ବଢୁଥିବାରୁ ଖୁବ କମ୍‌ ଦିନ ମଧ୍ୟରେ ଏସବୁ ଅଞ୍ଚଳ ସ୍ମାର୍ଟସିଟି ସହ ମିଶିଯିବ। ନୂଆ ସିଟି ଅଞ୍ଚଳ ମଧ୍ୟ ସୃଷ୍ଟି ହେଉଛି । ହେଲେ ଆଜି ବି ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାରେ ରହିଛି ଓ ସ୍ୱାସ୍ଥ୍ୟ ମୁଖ୍ୟ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଭୁବନେଶ୍ୱର ସହ ଖୋର୍ଦ୍ଧା ଜିଲ୍ଲାକୁ ସମ୍ଭାଳୁଛନ୍ତି । ତେଣୁ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ନିଷ୍ପତ୍ତି, ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ ପଦବି ନିଯୁକ୍ତି ସହ ପ୍ରଶାସନିକ କାର୍ଯ୍ୟଭାର ଯୋଗୁ ତାଙ୍କ ଉପରେ ଚାପ ପଡ଼ୁଛି । ଦ୍ରୁତ ସହରୀକରଣ ଯୋଗୁ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ବଢୁଛି । କଟକ ବଡ଼ ମେଡିକାଲ ଭଳି ଏଠାରେ କ୍ୟାପିଟାଲ ହସ୍ପିଟାଲ ରହିଛି । କ୍ୟାପିଟାଲ ହସ୍ପିଟାଲକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଳି ଗଣାଯାଏ । ଡିଏଚଏଚରେ ଯେଉଁ ସୁବିଧା ରହିବା କଥା ତାହା ଏଠାରେ ରହିଛି । ସେହିପରି ଡାକ୍ତରୀ ପାଠ ପଢ଼ିବା ପାଇଁ ପିଜିଆଇଏମଇଆର ମଧ୍ୟ ଅଛି । ଏହାର କ୍ୟାମ୍ପସ କାମ ଏବେ ସରିବା ଉପରେ। ଏହାବାଦ୍‌ ରାଜଧାନୀରେ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ୧୮ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ଓ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ।
ଏଥିସହ ହୋମିଓପାଥିକ ଓ ଆୟୁର୍ବେିଦକ ହସ୍ପିଟାଲ ମଧ୍ୟ ରହିଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବଡ଼ ପେଣ୍ଠ ଭାବେ ଭୁବନେଶ୍ୱର ପରିଣତ ହୋଇଥିବା ବେଳେ ଏହାକୁ ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ଦେବାରେ ଅସୁବିଧା ନାହିଁ । ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ମିଳିଲେ ସ୍ୱାସ୍ଥ୍ୟ ସେବା ସୁବିଧାର ତଦାରଖ ହୋଇପାରିବ । ଜାତୀୟ ଓ ରାଜ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବ୍ୟବସ୍ଥିତ ଭାବରେ କାର୍ଯ୍ୟକ୍ଷମ, ସ୍ୱାସ୍ଥ୍ୟ ଫଳାଫଳର ମୂଲ୍ୟାଙ୍କନ, ନିଜସ୍ୱ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ରହିବ। ସେହିପରି ଏକ ସ୍ଥାୟୀ ସୀମା ରେଖା ମଧ୍ୟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବ। ସ୍ୱତନ୍ତ୍ର ସିଡିଏମଓ ରହିବେ। ନୂଆ ସରକାର ଆସିବା ପରେ ଏହା ଉପରେ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରଚେଷ୍ଟା ଜାରି ରଖିଛି । ଏ ସଂକ୍ରାନ୍ତରେ ଏଡିପିଚିଓ ନୀଳମଣି ସେନାପତିଙ୍କ କହିବା କଥା, ସ୍ୱାସ୍ଥ୍ୟ ଜିଲ୍ଲା ହେବା ନେଇ ପ୍ରକ୍ରିୟା ଜାରି ରହିଛି ।

Comments are closed, but trackbacks and pingbacks are open.