ଭୁବନେଶ୍ବର: ରଜ ଉତ୍ସବ ହେଉଛି ଓଡ଼ିଆ ଅସ୍ମିତାର ମହାପର୍ବ। ଓଡ଼ିଶା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଜ ପାଳନ ହୁଏ ନାହିଁ। ରାଜ୍ୟ ରାଜଧାନୀରେ ସମସ୍ତ ପ୍ରମୁଖ ପ୍ରେକ୍ଷାଳୟରେ ବିଭିନ୍ନ ଅନୁଷ୍ଠାନଗୁଡିକ ସଜବାଜରୁ ଶେଷ ରଜ ଯାଏଁ ପାଳନ କରନ୍ତି ଉତ୍ସବ।ରଜପାନ, ପୋଡପିଠା, ରଜଦୋଳି ଗୀତ, ନାଚ ଆଦିକୁ ନେଇ ଏହି ରଜ ଉତ୍ସବରେ ସାମିଲ ହୁଅନ୍ତି ରାଜଧାନୀ ବାସୀ। ହେଲେ ଚଳିତ ବର୍ଷ ସମସ୍ତ ଉତ୍ସବକୁ ବନ୍ଦ କରିଦେଲେ ରାଜ୍ୟ ସରକାର। କାରଣ ଭୁବନେଶ୍ୱରର ତିନିଟି ପ୍ରମୁଖ ପ୍ରେକ୍ଷାଳୟ ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜ କଳା ମଣ୍ଡପରେ ରଜ ଉତ୍ସବ ପାଳୁଥିବା ଘରୋଇ ଅନୁଷ୍ଠାନଗୁଡିକ ବୁକିଂ ବାତିଲ କରାଗଲା। କାରଣ ହେଲା ସରକାର ନିଜର ବର୍ଷପୂର୍ତ୍ତୀ ଉତ୍ସବ ପାଳିବା ପାଇଁ ଜୁନ୍ ୧୨ ରୁ ୨୦ ପର୍ଯ୍ୟନ୍ତ ଏହି ସମସ୍ତ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ କରିବେ। ଏଥର ରଜ ୧୪, ୧୫ ଓ ୧୬ ତାରିଖରେ ପଡୁଛି। ସେହି ଭିତରେ ସରକାରଙ୍କ ବର୍ଷ ପୁର୍ତ୍ତି ପଡୁଥିବାରୁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ତେବେ ବିଭିନ୍ନ ଅନୁଷ୍ଠାନର କହିବା କଥା ଯେ, ସରକାର ନିଜର ବର୍ଷ ପୂର୍ତ୍ତୀ ପାଳିବାରେ କାହାରି ଆପତ୍ତି ନାହିଁ। କିନ୍ତୁ ରଜ ସମୟରେ ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଥିବା ରଜ ଉତ୍ସବକୁ ବାତିଲ କରି ନିଜେ ନାଚଗୀତ କରିବା କେତେ ଦୂର ସମୀଚିନ ବୋଲି ପ୍ରଶ୍ନ କରିଛନ୍ତି। ଆମେମାନେ ବହୁ ପୂର୍ବରୁ ପ୍ରେକ୍ଷାଳୟ ବୁକିଂ କରି କାର୍ଯ୍ୟକ୍ରମ ଯୋଗାରେ ଲାଗିଥିଲୁ, ହେଲେ ହଠାତ ତାହାକୁ ବାତିଲା କରିବା ଓଡିଆ ସଂସ୍କୃତି ପ୍ରତି କୁଠାରଘାତ ବୋଲି ସେମାନେ କହିଛନ୍ତି। ସରକାର ଏହା ଉପରେ ପୁନଃବିଚାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।
Comments are closed, but trackbacks and pingbacks are open.