ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ଭୁବନେଶ୍ୱରର ୟୁନିଟ୍-୬ ଅନ୍ତର୍ଗତ କେଶରୀ ନଗର ସର୍କଲର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂହଙ୍କୁ ଗିରଫ କରିଛି। ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ତଦନ୍ତ ରିପୋର୍ଟ ଆଗକୁ ବଢ଼ାଇବା ନିମନ୍ତେ ୫,୦୦୦ ଟଙ୍କା ଲାଞ୍ଚ ନେଉଥିଲେ | ସୂଚନା ଅନୁଯାୟୀ, ନିଜ ମା’ ଓ ସାନ ଭାଇଙ୍କ ମୃତ୍ୟୁ ପରେ ଆବେଦନକାରୀ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ସେପ୍ଟେମ୍ବର ୯ ତାରିଖରେ ଉକ୍ତ ପ୍ରମାଣପତ୍ର ପାଇଁ ଅନଲାଇନ୍ରେ ଆବେଦନ କରିଥିଲେ। ଏହାପରେ ସେ ରାଜସ୍ୱ ନିରୀକ୍ଷକଙ୍କୁ ତିନି କିମ୍ବା ଚାରି ଥର ଭେଟି ତଦନ୍ତ ରିପୋର୍ଟକୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ କୌଣସି ଯୁକ୍ତିଯୁକ୍ତ କାରଣ ବିନା ଏହି ପ୍ରକ୍ରିୟାରେ ବିଳମ୍ବ କରିଥିଲେ ଏବଂ ଆବେଦନକୁ ଅନଲାଇନ୍ରେ ଅନୁମୋଦନ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ଆବେଦନକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଧରିଥିଲା। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।
Comments are closed, but trackbacks and pingbacks are open.