ଭୁବନେଶ୍ୱର-ଜୟପୁର ବିମାନସେବା ଆରମ୍ଭ

44

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଭୁବନେଶ୍ୱର-ଜୟପୁର ବିମାନ ସେବା ଆରମ୍ଭ ହୋଇଛି । ୫ଶହ କିଲୋମିଟର ଦୂର ଦକ୍ଷିଣ ଓଡ଼ିଶାର ଏହି ପୁରାତନ ସହରକୁ ଭୁବନେଶରରୁ ସିଧାସଳଖ ବିମାନ ଯାତ୍ରା ସୁବିଧା ମିଳିଛି । ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ୍ ମୂଲ୍ୟ ରହିଛି ୧୦୪୯ ଟଙ୍କା । ପରେ ଟିକେଟ୍ ମୂଲ୍ୟ ସର୍ବାଧିକ ଅଢ଼େଇ ହଜାର ଟଙ୍କା ରହିବ । ଏବେ ୯ ସିଟ୍ ବିଶିଷ୍ଟ ବିମାନ ‘ଇଣ୍ଡିଆ ୱାନ’ ଏୟାର ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ୧ଟା୨୦ରେ ପହଞ୍ଚିବ । ସେହିପରି ଜୟପୁରରୁ ଅପରାହ୍ନ ୧ଟା ୪୦ରେ ବିଶାଖାପାଟଣା ବିମାନବନ୍ଦର ଅଭିମୁଖେ ଯାତ୍ରା କରି ଅପରାହ୍ନ ଅଢ଼େଇଟାରେ ପହଞ୍ଚିବ । ପୁଣି ବିଶାଖାପାଟଣାରୁ ଅପରାହ୍ନ ୩ଟାରେ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ । ଆଗାମୀ ଦିନରେ ଅଧିକ ଯାତ୍ରୀ ଯିବା ଆସିବା ପାଇଁ ଅଧିକ ସିଟ୍‌ର ବିମାନ ଉପଲବ୍ଧ ହେବ ।
ଗତ ୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରେରିତ ବୈଷୟିକ କମିଟି ଦ୍ୱାରା କ୍ରମାଗତଃ ତନଖି ପରେ ବିମାନ ଚଳାଚଳ ନେଇ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ନବନର୍ମିିତ ବିମାନବନ୍ଦରକୁ ଲାଇସେନ୍ସ ମିଳିଥିଲା । ‘ଉଡାନ୍‌’ଯୋଜନାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ତାହା ପ୍ରଦାନ କରାଯାଇଛି । ଡିଜିସିଏ ପକ୍ଷରୁ ବି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଲାଇସେନ୍ସ ପ୍ରଦାନ ପୂର୍ବରୁ ପ୍ରାୟ ୬ ମାସ ଭିତରେ ଦୁଇ ଥର ଜୟପୁର ବିମାନବନ୍ଦରରେ ବୈଷୟିକ ପ୍ରତିନିଧି ମଣ୍ଡଳି ଦ୍ୱାରା ତିନୋଟି କ୍ଷେତ୍ରରେ ଯାଞ୍ଚ କରାଯାଇଥିଲା । ତାହା ହେଉଛି ଆନୁସଙ୍ଗିକ, ବୈଷୟିକ ଓ ଭୌଗୋଳିକ ଭିତ୍ତିଭୁମି କ୍ଷେତ୍ର । ଗତ ଜୁଲାଇ ୨୧ ଓ ୨୨ରେ ହୋଇଥିବା ତନଖିରେ ବିମାନବନ୍ଦରରୁ ୬୭ଟି ତ୍ରୁଟି ଚିହ୍ନଟ ହୋଇଥିଲା । ଏନେଇ ଆସିଥିବା ତିନି ଜଣିଆ ଉଚ୍ଚ ପ୍ରତିନିଧି ଦଳ କେନ୍ଦ୍ର ସରାକରଙ୍କ ‘ଡାଇରେକ୍ଟରଟ୍ ଅଫ୍ ସିଭିଲ୍ ଏଭିଏସନ୍‌’ଙ୍କୁ ରିପୋର୍ଟ ଦେଇଥିଲେ ।
ଆଇନ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଯୋଗୁଁ ଦକ୍ଷିଣ ଓଡ଼ିଶାକୁ ବିମାନ ଉଡ଼ାଣ ସମ୍ଭବ ହୋଇଛି । ଏଥିପାଇଁ ପର୍ଯ୍ୟଟନର ବିକାଶ ହୋଇପାରିବ । ଦେଶ ବିଦେଶରୁ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ବିମାନସେବାକୁ ସ୍ୱାଗତ କରିଛନ୍ତି । ଆଗାମୀ ଦିନରେ ଅଧିକ ସିଟ୍‌ର ବିମାନ ଚଳାଚଳ କଲେ ଭଲ ହେବ ବୋଲି ସେମାନେ କହିଛନ୍ତି ।

Comments are closed, but trackbacks and pingbacks are open.