ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ତଥା ୨୦୧୩ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ଜଗମୋହନ ମୀନା ଚାକିରିରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଜ୍ୟ ସରକାରଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୫ ଦିନ ତଳେ ସେ ଏହି ଇସ୍ତଫା ପତ୍ର ପଠାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହାକୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଜଗମୋହନ ମୀନାଙ୍କ ଏଭଳି ହଠାତ୍ ଇସ୍ତଫା ନିଷ୍ପତ୍ତିକୁ ନେଇ ପୋଲିସ ବିଭାଗ ସମେତ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ସେ ସରକାରୀ ସେବାରୁ ଅବ୍ୟାହତ ନେଇ କୌଣସି ଘରୋଇ ସଂସ୍ଥାରେ ମନୋନିବେଶ କରିପାରନ୍ତି। ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଏକ ବଡ଼ ଦାୟିତ୍ୱ ନେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ଏହି ଚର୍ଚ୍ଚା ଉପରେ ସପୃକ୍ତ ଡିସିପିଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ସୂଚନାଯୋଗ୍ୟ, ଜଗମୋହନ ମୀନା ଏହା ପୂର୍ବରୁ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ଏସ୍ପି ଏବଂ କଟକ ୟୁପିଡି ଡିସିପି ଭାବେ ସଫଳତାର ସହ ଦାୟିତ୍ବ ତୁଲାଇ ସାରିଛନ୍ତି।
Comments are closed, but trackbacks and pingbacks are open.