ଭରତପୁର ଥାନାରେ ସିସିଟିଭି ଲାଗିଲା

51

ଭୁବନେଶ୍ୱର: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି। ଏସବୁ ବିବାଦ ମଧ୍ୟରେ ମଙ୍ଗଳବାର ଭରତପୁର ଥାନାରେ ସିସିଟିଭି ଲଗାଯାଇଛି। ୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି। ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତତ୍କାଳୀନ ଥାନାଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ସବୁ ଥାନାରେ ସିସିଟିଭି ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭରତପୁର ଥାନାର ନୂଆ କୋଠା ନିର୍ମାଣ କରାଯିବା ସହ ସିସିଟିଭି ଲଗାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ହେଲେ ୧୪ ତାରିଖ ଶନିବାର ବିଳମ୍ବିତ ରାତିର ଏହି ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବିଳମ୍ବିତ ରାତିରେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବିଚାରବିଭାଗୀୟ ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। 

Comments are closed, but trackbacks and pingbacks are open.