ଅସାଧୁ ଭୋଟର ସାବଧାନ : ଡବଲ ଭୋଟ୍ ଦେଲେ କଡା କାର୍ଯ୍ୟାନୁଷ୍ଠାନ, ନିର୍ବାଚନ କମିଶନର

28

ଆସନ୍ତା କାଲି ୨୪-୦୩ ରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଛି I ପୋଲିଂ ପାର୍ଟି ଅଫିସର ମାନେ ବୁଥ ଅଭିମୁଖେ ଯାଇସାରିଲେଣି I ଏହାରି ମଧ୍ୟରେ ପୌର ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ । ସେ କହିଛନ୍ତି ଯେ, ‘ପୌର ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟରେ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କୌଣସି ବ୍ୟକ୍ତି ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ ହେବ । ଯଦି ଭୋଟ୍ ଦେଇଥିବା ପ୍ରମାଣ ମିଳିଲା, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।’ ତେବେ ଟଙ୍କା ବଣ୍ଟାର ଭାଇରାଲ ଭିଡିଓ ସୂଚନା କମିଶନଙ୍କ ପାଖକୁ ଆସିଛି । ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯାଇଛି । ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କମିଶନର କହିଛନ୍ତି ।
ତେବେ ପୌର ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତା ଗୁରୁବାର ଦିନ ଭୋଟଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ପ୍ରଥମଥର ପାଇଁ ସିଧାସଳଖ ମେୟର ଓ ଅଧ୍ୟକ୍ଷ ନିର୍ବାଚନ ହେବ । ଆସନ୍ତା ଗୁରୁବାର ଦିନ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ବିଜ୍ଞାପିତ ପରିଷଦ ଅଂଚଳର ମୋଟ ୪୩୭୩ଟି ବୁଥରେ ୪୦.୫୫ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ ।

Comments are closed, but trackbacks and pingbacks are open.