ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ

87

ଭୁବନେଶ୍ୱର: ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ। ୩୦ ଲକ୍ଷ ଟନର ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସ ଭିତରେ ଜମି ମିଳିବ। ଜମି ମିଳିଲେ ୩ ରୁ ୪ ମାସ ଭିତରେ କାମ ଆରମ୍ଭ ହେବ। ୩୦ ରୁ ୪୦ ହଜାର ଲୋକ କାମ ପାଇବେ। ପ୍ରକଳ୍ପ କାମ ୩ ରୁ ସାଢେ ୩ ବର୍ଷ ଲାଗିବ’।

ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏଥି ସହିତ ବିଶ୍ୱର ମେଟାଲ ଭାଲ୍ୟୁ-ଚେନ୍‌ରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝର ଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବୈଠକରୁ ଜଣାଯାଇଛି। ଏଥିରେ ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ବେଦାନ୍ତ ପକ୍ଷରୁ ଓଡିଶାରେ ଦୁଇଟି ନୂଆ ଆଲୁମିନିଅମ୍‌ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ। ଝାରସୁଗୁଡାରେ ଥିବା ଏହାର ଆଲୁମିନିଅମ୍‌ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ। ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉଏକ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ।

Comments are closed, but trackbacks and pingbacks are open.