ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ନେଇ ଉଚ୍ଚ ସ୍ତରୀୟ ବୈଠକ

7

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରୁ ଶ୍ରୀକ୍ଷେତ୍ର ପୁରୀ କୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଦିନ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା I ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ତତ୍ୱାବଧାନରେ ପୁରୀ ଓ ଭୁବନେଶ୍ୱରର ରାସ୍ତାର ବିକାଶ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ସମନ୍ୱୟ ଉପରେ ସଚିବ ଶ୍ରୀ ସିଂହଗୁରୁତ୍ୱାରୋପ କରିଥିଲେ I ବୈଠକରେ ୬୭ କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ ୪ ଲେନ ରୁ ୬ ଲେନ କରିବା ସହ ଉଭୟ ପଟରେ ଦୁଇ ଲେନ ବିଶିଷ୍ଠ ସ୍ୱତନ୍ତ୍ର ସର୍ଭିସ ଲେନ ନିର୍ମାଣ ଉପରେ ଆଲୋଚନା ହୋଇଥିଲା I ଏଥିସହିତ ସପ୍ତସତି ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତାକୁ ୬ ଲେନ ଇଲେଭେଟେଡ଼ କରିଡର ସହ ଉଭୟ ପାର୍ଶ୍ୱରେ ୩ ଲେନ ବିଶିଷ୍ଟ ସର୍ଭିସ ରୋଡ଼ ନିର୍ମାଣ ନେଇ ଆଲୋଚନା ହୋଇଥିଲା I ଏହା ଭୁବନେଶ୍ୱର ସହରର ଭିଡ ପରିଚାଳନା ସହ ଉଭୟ ସହର ମଧ୍ୟରେ ଯାତାୟାତ ସମୟକୁ ହ୍ରାସ କରିବ I ପ୍ରସ୍ତାବିତ ରାସ୍ତାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ଥାନେ ସ୍ଥାନେ ୱେ ସାଇଡ ଆମିନିଟି ସୁବିଧା ରହିବ I ପୁରୀ ଏବଂ ଭୁବନେଶ୍ୱର ଅଞ୍ଚଳ ବାତ୍ୟା ପ୍ରବଣ ହାଇଥିବାରୁ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ,ପାଣି ଓ ଗ୍ୟାସ ସେବା ପାଇଁ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା Iଭବିଷ୍ୟତରେ ପୁରୀରେ ନିର୍ମାଣ ହେବାକୁ ଥିବା ବିମାନ ବନ୍ଦର, ଉପକୂଳ ରାଜପଥ, ଅନ୍ୟାନ୍ୟ ପ୍ରକଳ୍ପ ଏବଂ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱାରୋପ କରିଥିଲେ I ଏଥିସହ ଆବଶ୍ୟକତା ଥିବା ସ୍ଥାନରେ ଇଲେଭେଟେଡ଼ କରିଡର, ଫ୍ଲାଏ ଓଭର ଏବଂ ଭିଓପି ( ଭେଇକିଲ ଅଣ୍ଡର ପାସ) ନିର୍ମାଣ ନେଇ ସର୍ବଶ୍ରେଷ୍ଠ ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱ ଦେଇଥିଲେ I

Comments are closed, but trackbacks and pingbacks are open.