ମନ୍ତ୍ରୀ ପଦକୁ ପ୍ରତ୍ୟାକ୍ଷାନ କଲେ ବରୁଣ !

38

ଚର୍ଚ୍ଚରେ ବରୁଣ ଗାନ୍ଧୀ । ବରୁଣଙ୍କ ବୟାନକୁ ନେଇ ତେଜୁଛି ରାଜନୀତି । ଦୁଇଦୁଇଥର ମୋତେ ମନ୍ତ୍ରିପଦ ଯଚାଯାଇଛି, କିନ୍ତୁ ମୁଁ ଗ୍ରହଣ କରିନାହିଁ, ଯାହା ବହୁଲୋକ ଜାଣନ୍ତି ନାହିଁ ବୋଲି ଶୁକ୍ରବାର ଥିଙ୍କ୍‌-ଏଜୁ କନ୍‌କ୍ଲେଭ୍‌ରେ ଭାଷଣ ଦେବା ଅବସରରେ ବିଜେପି ଏମ୍‌ପି ବରୁଣ ଗାନ୍ଧି କହିଛନ୍ତି । ଏହି ଅବସରରେ ବରୁଣଙ୍କୁ ପଚରାଯାଇଥିଲା ଯେ ସେ ଯେତେବେଳେ ମନ୍ତ୍ରିପଦକୁ ପ୍ରତ୍ୟାଖାନ କଲେ ତାହାକୁ ନେଇ କେହି ଅପମାନିତ ଅନୁଭବ କରିଛନ୍ତି କି? ଉତ୍ତରରେ ବରୁଣ କହିଥିଲେ- ଯଦି ଆପଣ ଜଣକୁ ସମ୍ମାନର ସହ କିଛି କଥା କହନ୍ତି, ସମ୍ମାନରେ ଯଦି ହାନି ହେଉ ନ ଥାଏ, ଯଦି ଆପଣଙ୍କ କଥାରେ ଯୁକ୍ତି ଥାଏ, ତେବେ ବଡ଼ ହୃଦୟରେ ଲୋକେ ତାହା ଗ୍ରହଣ କରିବେ ।

ବରୁଣ କହିଲେ ଯେ, ସେ ଯଦି ଶିକ୍ଷାମନ୍ତ୍ରୀ ହୋଇଥାନ୍ତେ, ତେବେ ସେ ଚାରିଟି କାମ କରିଥାନ୍ତେ । ପ୍ରଥମେ ସେ ପାଠ୍ୟକ୍ରମ ବଦଳାଇଥାନ୍ତେ ଏବଂ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି କରିଥାନ୍ତେ । ତା’ପରେ ସେ କୁଶଳୀ ଲୋକଙ୍କ ଉପରେ ଅଧିକ ବ୍ୟୟ କରିଥାନ୍ତେ । ଦକ୍ଷିଣ କୋରିଆରେ ୯୪ ପ୍ରତିଶତ ଲୋକ କୁଶଳୀ ହେଲାବେଳେ ଭାରତରେ ୪ ପ୍ରତିଶତ ଲୋକ କୁଶଳୀ ବୋଲି ସେ କହିଥିଲେ । ତା’ପରେ ଦକ୍ଷିଣ କୋରିଆ ଓ ଜର୍ମାନୀ ପରି ସେ ବୃତ୍ତିଗତ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତେ । ସେ କହିଲେ ଯେ ଭାରତରେ ଗତ ୫ ବର୍ଷ ଭିତରେ ସୃଷ୍ଟି କରାଯାଇଥିବା ୭୯ ପ୍ରତିଶତ ସରକାରୀ ଚାକିରି ହେଉଛି ଚୁକ୍ତିଭିତ୍ତିକ ।

ଏଭଳି ଚାକିରି ପ୍ରକୃତ ଚାକିରି ନୁହେଁ କାରଣ ଏଥିରେ ପେନସନ ନାହିଁ କି ସାମାଜିକ ସୁରକ୍ଷା ନାହିଁ । ବରୁଣ କହିଲେ ଯେ, ସେ ଆଗତ କରିଥିବା ବିଲ୍ ଅନୁସାରେ- ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କେତେ ପଦବି ଖାଲି ଅଛି ଚିହ୍ନଟ କର, ୪୫ରୁ ୬୦ ଦିନ ଭିତରେ ପରୀକ୍ଷା କର, ତା’ପରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କର । କେତେକ ମନ୍ତ୍ରୀଙ୍କ ସହ ବି ମୁଁ କଥା ହୋଇଛି, ଯେଉଁମାନେ ନୂଆ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବରୁଣ କହିଥିଲେ । ସାଂସଦମାନେ ନିଜେ ନିଜର ଦରମା ବୃଦ୍ଧି କରୁଥିବାରୁ ଏଥିରେ କ୍ଷୋଭ ପ୍ରକାଶ କରି ବରୁଣ କହିଥିଲେ ଯେ ମନଇଚ୍ଛା ନିଜର ଦରମା ବା ଭତ୍ତା ବୃଦ୍ଧି କରିବାର କ୍ଷମତା ସାଂସଦମାନଙ୍କର ରହିବା ଉଚିତ ନୁହେଁ । ଏହା ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପାଇଁ ସେ ଲୋକମାନଙ୍କୁ କହିଛନ୍ତି ବୋଲି ବରୁଣ କହିଥିଲେ ।

Comments are closed, but trackbacks and pingbacks are open.