ବାରବାଟୀ ଟି-20 ମ୍ୟାଚ : ହାଇକୋର୍ଟରେ ମାମଲା ଖାରଜ

30

ବାରବାଟୀ ଟି-୨୦ ମ୍ୟାଚ୍‌ ସମୟରେ ଅଗ୍ନି ନିରାପତ୍ତା ସମ୍ପର୍କିତ ଜନସ୍ବାର୍ଥ ମାମଲା କୁ ଖାରଜ କରିଛନ୍ତି ହାଇକୋର୍ଟ I ଏହି ମାମଲା ଖାରଜ ହେବାପରେ ବାରବାଟୀରେ ଟି-୨୦ ହେବା ନେଇ ସମସ୍ତ ଆଶା ଓ ଆଶଙ୍କା ଟଳିଛି I ତେବେ ଆସନ୍ତା ଜୁନ ୧୨ ବେଳକୁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବ I ମ୍ୟାଚ ପୂର୍ବରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଶେଷ ହୋଇଯିବ ବୋଲି ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷ ରଖି କହିଥିଲେ ଆଡଭୋଜେଟ ଜେନେରାଲ ।

ବାରବାଟୀ ଟି-୨୦ ପାଇଁ ଗଠିତ ଅଭ୍ୟର୍ଥନା କମିଟି ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଖୁବ୍ ଆଶ୍ବସ୍ତ ଅନୁଭବ କରିଛି । କଟକ ମେୟର କହିଛନ୍ତି, ଏହା କେବଳ ବାରବାଟୀର କଥା ନୁହେଁ ବରଂ ଏହା ହେଉଛି ରାଜ୍ୟର ସମ୍ମାନର କଥା । ତେବେ ମାମଲା ଦାୟର କରିଥିବା ବ୍ୟକ୍ତିମାନେ ନା ବାରବାଟୀ ଷ୍ଟାଡିୟମ ସମ୍ପର୍କରେ ନା ସରକାରୀ ପଦକ୍ଷେପ ବାବଦରେ କିଛି ଜାଣନ୍ତି ବୋଲି କଟାକ୍ଷ କରିଛନ୍ତି ମେୟର ସୁବାସ ସିଂ । ଯଦି ବି କିଛି କାମ ବାକି ରହିଯାଇଥିବ, ତାହା ଦିନେ ବା ଦୁଇ ଦିନ ଭିତରେ ଶେଷ ହେବ ବୋଲି ମେୟର ଭରସା ଦେଇଛନ୍ତି ।

ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍ ଆୟୋଜନ କରିବା ନେଇ ଏଜି ଆଶ୍ୱାସନା ଦେଇଛନ୍ତି । ଯାହା ପରେ ଜନସ୍ୱାର୍ଥ ମାମଲା ଖାରଜ କରିଛନ୍ତି ହାଇକୋର୍ଟ । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତା ପ୍ରମାଣପତ୍ର ନଥିବା ହାଇକୋର୍ଟରେ ଦର୍ଶାଇଥିଲେ ମାନବାଧିକାର କର୍ମୀ ସଂଜୟ କୁମାର ନାଏକ । ଦୁଇଟି ଯାକ ପ୍ରମାଣପତ୍ର ନମିଳିବା ଯାଏଁ ବାରବାଟୀରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ନକରିବାକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ । କିନ୍ତୁ ଆଜି ହାଇକୋର୍ଟ ସବୁ ମାମଲାକୁ ଖାରଜ କରିଦେଇଛନ୍ତି ।

Comments are closed, but trackbacks and pingbacks are open.