କିମ୍‍ସରେ ଆରମ୍ଭ ହେଲା ବେଲୁନ୍ ମାଇକ୍ରୋ-କମ୍ପ୍ରେସନ୍ ଚିକିତ୍ସା

499

ଓଡ଼ିଶାରେ ପ୍ରଥମ

ଭୁବନେଶ୍ୱର,୯ା୧୨: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ରେ ପ୍ରଥମ ଥର ପାଇଁ ବେଲୁନ୍ ମାଇକ୍ରୋକମ୍ପ୍ରେସନ୍ ଚିକିତ୍ସା ଆରମ୍ଭ ହୋଇଛି। ଦୀର୍ଘ ୭ବର୍ଷ ଧରି ମୁହଁରେ ଯନ୍ତ୍ରଣା ଭୋଗୁଥିବା ଜନୈକା ରୋଗୀଙ୍କଠାରେ ସଫଳ ଚିକିତ୍ସା କରାଯାଇପାରିଛି। ଏଭଳି ପଦ୍ଧତି ପ୍ରଥମ ଥର ଲାଗି ଓଡ଼ିଶାରେ ଆରମ୍ଭ କରାଯାଇଥିବା କିମ୍‍ସ ଯନ୍ତ୍ରଣା ରୋଗ ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ଦାବି କରିଛନ୍ତି। ‘ଟ୍ରାଇଜେମିନାଲ ନ୍ୟୁରୋଲଜିଆ’ ନାମକ ରୋଗରେ ପୀଡ଼ିତ ଥିବା ଉକ୍ତ ରୋଗୀଙ୍କୁ ସର୍ବଦା ତୀକ୍ଷ୍ଣ ଛୁରାମାଡ଼ ଏବଂ ବିଦ୍ୟୁତ୍ ଆଘାତ ଲାଗିବା ଭଳି ଯନ୍ତ୍ରଣା ଅନୁଭୂତ ହେଉଥିଲା। ସେ କିମ୍‌ସର ପେନ୍ ଆଣ୍ଡ ପାଲିଏଟିଭ୍ ମେଡିସିନ୍ ପରାମର୍ଶଦାତା ଡା. ରାଜେନ୍ଦ୍ର ସାହୁଙ୍କୁ ପରାମର୍ଶ କରିଥିଲେ। ଡା ସାହୁ ବିଭିନ୍ନ ପରୀକ୍ଷା କରିବା ପରେ ତାଙ୍କୁ ବେଲୁନ୍ ମାଇକ୍ରୋକମ୍ପ୍ରେସନ୍ ପଦ୍ଧତିରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ। ଡା ସାହୁ ଓ ତାଙ୍କ ଡାକ୍ତରୀ ଦଳ ମାତ୍ର ୩୦ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିଥିଲେ। ପ୍ରକ୍ରିୟା ଶେଷ ହେବାର କିଛି ମୂହୁର୍ତ୍ତରେ ହିଁ ରୋଗୀ ଜଣକ ସୁସ୍ଥ ଅନୁଭବ କରିଥିଲେ ଏବଂ ସେ ଦୀର୍ଘ ଦିନ ଧରି ଭୋଗୁଥିବା ଯନ୍ତ୍ରଣାରୁ ମୁକ୍ତି ପାଇଥିଲେ। ସାଧାରଣତଃ ଏହି ‘ଟ୍ରାଇଜେମିନାଲ ନ୍ୟୁରାଲଜିଆ’ରେ ପୀଡ଼ିତ ରୋଗୀଙ୍କ ମଧ୍ୟରେ ଯନ୍ତ୍ରଣାର ତୀବ୍ରତା କିଛି ସେକେଣ୍ଡରୁ ମିନିଟ୍ ପର୍ଯ୍ୟନ୍ତ ରହିଥାଏ। ଦୈନନ୍ଦିନ ବ୍ରସ୍ କରିବା, ଚୋବାଇବା ଏପରିକି କଥା କହିବା ଭଳି ନିତିଦିନିଆ କାମ କରବାରେ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ରେଡିଓଫ୍ରିକ୍ୱେନ୍ସି ଆବ୍ଲେସନ୍ ଓ ବେଲୁନ୍ ମାଇକ୍ରୋକମ୍ପ୍ରେସନ୍ ଭଳି ବିକଳ୍ପ ଚିକିତ୍ସା ପାଇଁ ଡାକ୍ତର ସାହୁ ନିଷ୍ପତ୍ତି ନେଇଥିଲେ। କପାଳ ନିକଟରେ ପ୍ରଥମ ଡିଭିଜନ (ଭି-୧) ଟ୍ରାଇଜେମିନାଲ ନ୍ୟୁରାଲଜିଆ ଥିବାରୁ ରେଡିଓଫ୍ରିକ୍ୱେନ୍ସି ଆବ୍ଲେସନ୍ କଲେ ରୋଗୀ ଚକ୍ଷୁରେ ପାର୍ଶ୍ଵ ପ୍ରତିକ୍ରିୟା ସମ୍ଭାବନା ଥିବାରୁ ଏ କ୍ଷେତ୍ରରେ ବେଲୁନ୍ ମାଇକ୍ରୋକମ୍ପ୍ରେସନକୁ ଅଗ୍ରାଧିକାର ଦିଆଯାଇଥିଲା ବୋଲି ଡା. ସାହୁ ସୂଚନା ଦେଇଛନ୍ତି। ଏହି ବିରଳ ସଫଳତା ପାଇଁ କିଟ୍‌, କିସ୍ ଏବଂ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ସାହୁ ଓ ତାଙ୍କ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed, but trackbacks and pingbacks are open.