ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା:ସାମ୍ନାକୁ ଆସିଲା ମୃତ ମେଡିକାଲ୍‌ ଛାତ୍ରଙ୍କ ଚାଟିଂ

25

ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଛାତ୍ରଙ୍କ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଡାକ୍ତରୀ ଛାତ୍ର ନିଶାନ୍ତ ଙ୍କ ମୃତ୍ୟୁ କୁ ୨ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। କିନ୍ତୁ ନିଶାନ୍ତ ଙ୍କ ବାପା ,ମା’ କଲେଜ ରେ ରାଗିଙ୍ଗ ଯୋଗୁଁ ତାଙ୍କର ଏକମାତ୍ର ପୁତ୍ରର ମୃତ୍ୟୁ ହୋଉଥିବା ଅଭିଯୋଗ କରି ଆସୁଥିବାବେଳେ ଆଜି ସାମ୍ନାକୁ ଆସିଛି ମୃତ ଛାତ୍ର ନିଶାନ୍ତଙ୍କ ମୋବାଇଲ୍‌ ଚାଟିଂ। ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ କଲେଜରେ କିଭଳି ରାଗିଂ ଚାଲିଥିଲା ଚାଟିଂରେ ଉଲ୍ଲେଖ ରହିଛି I ଖେଳ ପଡ଼ିଆକୁ ଜୋର୍‌ ଜବରଦସ୍ତ ଡାକୁଥିଲେ ସିନିୟର। କିନ୍ତୁ ଜୁନିଅରଙ୍କୁ ଖେଳିବା ପାଇଁ ଆଦୌ ଅନୁମତି ଦେଉନଥିଲେ। ପାର୍କ ଯିବାକୁ ମଧ୍ୟ ଜୁନିଅରଙ୍କୁ ଅନୁମତି ନଥିବା ଚାଟିଂରେ ଉଲ୍ଲେଖ ରହିଛି। ଏହା ସହିତ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାକୁ ଡରୁଥିବା ଲେଖିଛନ୍ତି ନିଶାନ୍ତ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ଥିଲେ ହରିୟାଣାର ନିଶାନ୍ତ କୁମାର । ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ ନିଶାନ୍ତ। ୨୨ ତାରିଖ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। ତା’ପରେ ସନ୍ଦେହ ଜନକ ଅବସ୍ଥାରେ ଛାତରୁ ପଡି ଗୁରୁତର ହୋଇଥିଲେ I ପରେ ନିଶାନ୍ତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହା ସୁଚିନ୍ତିତ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ପରିବାର ଲୋକ କଲେଜ ବିରୁଦ୍ଧରେ ଆଣିଥିଲେ ରାଗିଂ ଅଭିଯୋଗ। ସେ କିପରି ଖସିଲେ ସେ ନେଇ କେହି କିଛି ଜାଣି ନଥିଲେ । ଏହି ଘଟଣା ଏବେ ସନ୍ଦେହ ଘେରରେ ରହିଛି ।

ଘଟଣାର ତଦନ୍ତ କରି ପୋଲିସ ମେଡିକାଲ କଲେଜ କ୍ୟାମ୍ପସରେ ପହଞ୍ଚି ନିଶାନ୍ତଙ୍କର କିଛି ସିନିୟର ଓ ଜୁନିୟର ବନ୍ଧୁଙ୍କୁ ପଚରାଉଚରା କରିଛି । ଅନ୍ୟପକ୍ଷରେ କଲେଜରେ ରାଗିଙ୍ଗ ହେଉଥିବା ନେଇ ନିଶାନ୍ତ ଫୋନ୍ କରି ଘର ଲୋକଙ୍କୁ ଜଣାଇଥିବା ତାଙ୍କର ମାମୁଁ କହିଥିଲେ । ମାତ୍ର ଏହି ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ । କଲେଜ ଡିନ୍ ଡା.ସବିତା ମହାପାତ୍ର କହିଥିଲେ ଯେ, କଲେଜରେ ଛାତ୍ରୀ ନିବାସ ଓ ଛାତ୍ର ନିବାସ ପାଇଁ ଆଣ୍ଟି ରାଗିଂ ସେଲ୍ ରହିଛି। ପ୍ରତିଦିନ ସଂଧ୍ୟା ଓ ରାତିରେ ଆଣ୍ଟି ରାଗିଙ୍ଗ ସେଲ୍ ଦାୟିତ୍ୱରେ ଥିବା ପ୍ରାଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝନ୍ତି। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ କୁ ମାତ୍ର ଦୁଇ ବର୍ଷ ପୁରି ନ ଥିବାବେଳେ କଲେଜ ପରିସରରେ ଦୁଇ ଦୁଇ ଟି ଅପମୃତ୍ୟୁ ଘଟି ସାରିଲାଣି I ପ୍ରକୃତ ତଦନ୍ତ ପରେ ମେଡିକାଲ ଛାତ୍ର ନିଶାନ୍ତ ଙ୍କ ମୃତ୍ୟୁ ଉପରୁ ପରଦା ହଟି ପାରିବ I

Comments are closed, but trackbacks and pingbacks are open.