ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ହତ୍ୟା ଧମକ!

118

ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦିଆଯାଇଛି । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଏବେ ବିଜେପିର ଜାତୀୟ ଉପସଭାପତି ଭାବେ କାର୍ଯ୍ୟ କରିବା ସହ ଦଳର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଆସାମ ଓ ଦିଲ୍ଲୀ ଦାୟିତ୍ୱରେ ମଧ୍ୟ ଅଛନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କ ଭଳି ବୈଜୟନ୍ତ ପଣ୍ଡାଙ୍କ ଅବସ୍ଥା କରାଯିବ ବୋଲି ଧମକ ମିଳିଛି l

ଶ୍ରୀ ପଣ୍ଡାଙ୍କର ସହାୟକଙ୍କୁ କେହି ଜଣେ ଫୋନ୍ କଲ ମାଧ୍ୟମରେ ଏପରି ଧମକ ଦେଇଛି । ଏନେଇ ବୈଜୟନ୍ତ ପଣ୍ଡା ଦିଲ୍ଲୀ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି l ଏତଲା ରୁଜୁ କରିବା ପରେ ଏବେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି ଏହି ହତ୍ୟା ଧମକ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ନବ ଦାସଙ୍କ ଅବସ୍ଥା ଯେପରି ହେଲା ସେପରି ବୈଜୟନ୍ତ ପଣ୍ଡାଙ୍କର ହେବ’ ବୋଲି ଧମକରେ କୁହାଯାଇଛି ।

ସିଧାସଳଖ ସାମ୍ନାରେ କେହି ଧମକ ଦେଇନାହାନ୍ତି ବରଂ ଫୋନ କଲ ମାଧ୍ୟମରେ ଧମକ ଦିଆଯାଇଛି l ବ୍ୟକ୍ତି ଜଣକ ହିନ୍ଦୀ ଭାଷାରେ କଥା ହୋଇ ଧମକ ଦେଇଛନ୍ତି l ଏବେ କେଉଁ ସ୍ଥାନର ବ୍ୟକ୍ତି ଜଣକ, କଲଟି ସତରେ କରାଯାଇଛି ନା ପ୍ରାଙ୍କ କଲ ଥିଲା ସେସବୁ ନେଇ ପୋଲିସ ଏବେ ଛନବିନ ଆରମ୍ଭ କରିଛି l

Comments are closed, but trackbacks and pingbacks are open.