ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ଦିନ ଲାଗି ରହିବ କାଳବୈଶାଖୀ ବର୍ଷା। ୨୪ ତାରିଖ ପରେ ପାଗରେ ହେବ ପରିବର୍ତ୍ତନ। ତେବେ ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ରହିଛି। ଯାହା ପ୍ରଭାବରେ ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଗଞ୍ଜାମ, ଗଜପତି , ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବର୍ଷା ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିସହ ୧୦ ଜିଲ୍ଲା ଅର୍ଥାତ୍ ସୁନ୍ଦରଗଡ଼,ଅନୁଗୁଳ, ଯାଜପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୱେଲୋ ୱାର୍ଣ୍ଣିଂ। ସେହିପରି ଆସନ୍ତାକାଲି ମୟୁରଭଞ୍ଜ, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଭଦ୍ରକ, ବାଲେଶ୍ୱର, ମାଲକାନଗିରି ଓ କେନ୍ଦୁଝର ୧୨ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସହ ୩୦ ରୁ ୫୦ କିମି ବେଗରେ ଝଡ଼ ପବନ ହେବାର ସମ୍ଭାବନା ରହିଛି। ତେଣୁ ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେପଟେ ୩ ଦିନ ଭିତରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ ରୁ ୪ ଡିଗ୍ରୀ ବୃଦ୍ଧି ହେବ ଓ ପୁଣି ଅସମ୍ଭାଳ ତାତି ଅନୁଭବ ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ଚାନ୍ଦୁଆରେ ୬୨.୦ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ ୪୧.୮ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।
Comments are closed, but trackbacks and pingbacks are open.