କର୍ଣ୍ଣାଟକରେ ବି ସିଏମ୍ ଚେଞ୍ଜ ଫର୍ମୁଲା

29

ବିଜେପି ଫୋକସରେ କର୍ଣ୍ଣାଟକ । ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଯୋଜନା । ବିରୋଧୀ ହାୱାକୁ କାଟି ପୁଣି ଶାସନ ଫେରିବା ଲକ୍ଷ୍ୟରେ ଦଳ । ତିଆରି ଚାଲିଛି ମାଷ୍ଟର ପ୍ଲାନ। ଚଳିତ ବର୍ଷ କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଥିବାବେଳେ ଏଠାରେ ପୁଣି ଥରେ ଶାସନ କ୍ଷମତା ଅକ୍ତିଆର କରିବାକୁ ମାଷ୍ଟର ପ୍ଲାନ କଲାଣି ଭାରତୀୟ ଜନତା ପାର୍ଟି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇବା ଆଉ ସତ୍ତା ବିରୋଧୀ ହାୱାକୁ କାଟି ପୁଣି ଶାସନକୁ ଫେରିବା ଫର୍ମୁଲା ବିଜେପିକୁ ଲଗାତାର ସଫଳତା ଦେଇଚାଲିଛି । ମୁଖ୍ୟମନ୍ତ୍ରୀ ବଦଳ ଫର୍ମୁଲାକୁ ଆପଣାଇ କର୍ଣ୍ଣାଟକରେ ବାଜିମାତ କରିବାକୁ ଯୋଜନା କରୁଛି ଦଳ । ଯେଉଁଭଳି ଭାବରେ ଏହି ଫର୍ମୁଲା ଆପଣାଇ ତ୍ରିପୁରା, ଗୁଜରାଟ ଆଉ ଉତ୍ତରାଖଣ୍ଡରେ ଦଳକୁ ସଫଳତା ମିଳିଥିଲା, ସେହି ଫର୍ମୁଲା ପ୍ରୟୋଗ କରି କର୍ଣ୍ଣାଟକରେ ବି ପୁଣି ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଛି ଦଳ । ମୁଖ୍ୟମନ୍ତ୍ରୀ ବଦଳାଇବା ସତ୍ତାକୁ ଫେରିବା ଫର୍ମୁଲା ବିଜେପି ପାଇଁ ଉତ୍ତରାଖଣ୍ଡରେ ସବୁଠୁ ଅଧିକ ସଫଳ ହେଇଥିଲା । ନିର୍ବାଚନ ପୂର୍ବରୁ ସେଠାରେ ସତ୍ତା ବିରୋଧୀ ହାୱା ଜୋରଦାର ଦେଖିବାକୁ ମିଳିଥିଲା । ଆଉ ଏତିକି ବେଳେ ବିଜେପି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ହଟେଇ ତାଙ୍କ ସ୍ଥାନରେ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ହେଲେ ସତ୍ତା, ଜନତା ଆଉ ପ୍ରଶାସନ ଉପରେ ତାଙ୍କ ପ୍ରଭାବ ଦେଖି, ପୁଣିଥରେ ମୁଖ୍ୟମନ୍ତ୍ରୀ ବଦଳାଇଥିଲା ବିଜେପିି । ତୀରଥ ସିଂହ ରାୱତଙ୍କୁ ହଟେଇ ଦଳ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା ।

ଆଉ ପୁଷ୍କରଙ୍କ ନେତୃତ୍ୱରେ ନିର୍ବାଚନ ଲଢି ସଫଳତା ବି ପାଇଥିଲା ଦଳ । ଖାଲି ଉତ୍ତରାଖଣ୍ଡ ନୁହେଁ, ବିଜେପିର ଏହି ଫର୍ମୁଲା ଗୁଜରାଟରେ ବି କାମ କରିଥିଲା । ନିର୍ବାଚନର ଠିକ୍ ପୂର୍ବରୁ ବିଜୟ ରୂପାଣୀଙ୍କୁ ହଟେଇ ଭୁପେନ୍ଦ୍ର ପଟେଲଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା । ଭୁପେନ୍ଦ୍ରଙ୍କ ନେତୃତ୍ୱରେ ନିର୍ବାଚନ ଲଢି ସଫଳତା ବି ପାଇଥିଲା ।

ଖାଲି ସେତିକି ନୁହେଁ, ତ୍ରିପୁରାରେ ବି ଦଳ ସେହି ସମାନ ଫର୍ମୁଲା ଆପଣାଇଥିଲା । ବିପ୍ଲବ ଦେବଙ୍କ କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ଥିଲେ ବି, ଦଳ ତାଙ୍କୁ ଅଧାରୁ ହଟେଇ ମୁଖ୍ୟମନ୍ତ୍ରୀ ପଦରେ ମାଣିକ ଶାହାଙ୍କୁ ବସେଇଥିଲା । ଯାହା ଏବେ ଦଳକୁ ସଫଳତା ଦେଇଛି । କର୍ଣ୍ଣାଟକରେ ପୁଣି ସେହି ଫର୍ମୁଲା ରିପିଟ୍ କରି ଦଳ ସରକାର ଗଢିବା ଚକ୍କରରେ ଅଛି ।

Comments are closed, but trackbacks and pingbacks are open.