ଭୁବନେଶ୍ୱର : ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ପହଞ୍ଚୁଛି। ଏହି ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବଶ୍ରେଣୀ ଏବଂ ଅଭାବୀ ଲୋକଙ୍କୁ ଦିଆଯାଉଛି। ଏହା ମାଧ୍ୟମରେ ଜଣେ ମାଗଣା ସ୍ୱାସ୍ଥ୍ୟସେବାର ଲାଭ ପାଇଥାନ୍ତି। ତେବେ ଆସନ୍ତା ଏପ୍ରିଲ ୧୧ତାରିଖରେ ଓଡ଼ିଶାରେ ଆୟୁଷ୍ମାନ୍ କାର୍ଡର ଶୁଭାରମ୍ଭ ହେବାକୁ ଯାଉଛି। ଏଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ୧୦ତାରିଖ ରାତିରେ ଭୁବନେଶ୍ୱରରେ ପହଞ୍ଚି ୧୧ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟବୀମାର ଲାଭ ପାଇବାକୁ ହେଲେ ଲୋକଙ୍କ ପାଖରେ ଆୟୁଷ୍ମାନ କାର୍ଡ ଥିବା ଆବଶ୍ୟକ। ଏହା ମାଧ୍ୟମରେ କାର୍ଡଧାରୀମାନେ ମାଗଣା ଚିକିତ୍ସା ପାଇପାରିବେ। ୭୦ବର୍ଷରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟହେବେ। ଏନେଇ ଲୋକଙ୍କୁ ପୋର୍ଟାଲ୍ରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଏହି ପୋର୍ଟାଲ୍ରେ ଫ୍ରେସ୍ ଯାଞ୍ଚ୍ ସୁବିଧା ଉପଲବ୍ଧ ହେବ। ଯେଉଁଥିରେ ୭୦ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଲିଙ୍କ୍ ରହିବ। ଆୟୁଷ୍ମାନ କାର୍ଡ ପାଇଁ ଆଧାରକାର୍ଡ, ରାସନକାର୍ଡ ଏବଂ ଠିକଣା ପ୍ରମାଣ ଆବଶ୍ୟକ। ଏସବୁ ବ୍ୟତୀତ ଆବେଦନକାରୀଙ୍କ ଏକ ସକ୍ରିୟ ଫୋନ୍ ନମ୍ବର ମଧ୍ୟ ରହିବା ଆବଶ୍ୟକ। ଯଦି ଏହି ଚାରୋଟି ଡକ୍ୟୁମେଣ୍ଟ ମଧ୍ୟରୁ କୌଣସିଟି ନାହିଁ ତେବେ ଆବେଦନ ରଦ୍ଦହେବାର ଆଶଙ୍କା ରହିଛି। ନିକଟତମ ଜନସେବା କେନ୍ଦ୍ର ପରିଦର୍ଶନ କରି ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରାଯାଇପାରିବ।
Comments are closed, but trackbacks and pingbacks are open.