ଧର୍ମଶାଳା ବିଧାୟକ ହିମାଂଶୁଙ୍କୁ ଆକ୍ରମଣ

521

ଭୁବନେଶ୍ବର: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ଶ୍ରୀ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବୁଢ଼ାପୋଲ ନିକଟରେ ଆଜି ବିଜେଡି କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ବିରଜା ମାର୍କେଟରେ ହାଟ ବନ୍ଦ କରିବା ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ କରିଥିଲେ। ତେଣୁ ଅନେକ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ସେହିବାଟରେ ଏ ସରକାରୀ ବୈଠକକୁ ଯୋଗଦେବାକୁ ଯାଉଥିବା ବେଳେ ଫସି ଯାଇଥିଲେ। ହଠାତ୍ ୧୦/୧୫ ଜଣ ଲୋକ ତାଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସିଥିଲେ। ସେମାନେ ବିଧାୟକ ଶ୍ରୀ ସାହୁଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଧକ୍କା ମାରିଥିଲେ। ତାଙ୍କ ସୁନା ଚେନ୍ ଛିଣ୍ଡାଇ ନେଇ ଯାଇଥିଲେ। ତାଙ୍କ କାରକୁ ଲୁହା ରଡ୍ ଓ ଠେଙ୍ଗାରେ ପିଟିଥିଲେ। ଫଳରେ ତାଙ୍କ କାରର କାଚ ଭାଙ୍ଗି ଯାଇଛି। ଗଲା ବେଳେ ସେମାନେ ବବି ଭାଇ ଜିନ୍ଦାବାନ ନାରା ପକାଇଥିଲେ। ଏମିତିକି ବିଜେପି ନେତା ଯାଜପୁରକୁ ଆସିଲେ ମାଡ଼ ଖାଇବେ ବୋଲି କହିଥିଲେ। ବିଧାୟକ ଶ୍ରୀ ସାହୁ କହିଛନ୍ତି, କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ସେମାନେ ମୋ ଗାଡ଼ିକୁ ରଡ୍ ଓ ଠେଙ୍ଗାରେ ପିଟିଥିଲେ। ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ମୋତେ ପିଟି, ମୋ ଚେନ୍ ଛିଡ଼ାଇ ନେଇଥିଲେ। ବବି ଭାଇ ଜିନ୍ଦାବାଦ୍ କହି ମୋତେ ସେମାନେ ଆକ୍ରମଣ କରିଥିଲେ। ତୁରନ୍ତ ଏଠୁ ପଳା, ନହେଲେ ମାରିଦେବୁ ବୋଲି ସେମାନେ କହିଥିଲେ। ସେ ଆହୁରି କହିଛନ୍ତି, ମୋ ପିଏସ୍‌ଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କୌଣସି ପ୍ରକାରେ ପିଏସ୍‌ଓ ସେମାନଙ୍କ କବଳରୁ ଖସିଯାଇଥିଲେ। ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ। ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍‌ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍ କରିଦିଅ କହିଥିଲେ। ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍ ପାଇଁ କହିବେ। ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେପି କର୍ମୀ ଓ ସମର୍ଥକମାନେ ସେଠାରେ ପହଞ୍ଚିଥିଲେ। ସେମାନେ ବିଧାୟକଙ୍କ ଗାଡ଼ିକୁ ଘେରି ରହିଥିଲେ। ଆକ୍ରମଣକାରୀଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ବିଧାୟକ କିମ୍ବା ବିଜେପି କର୍ମୀ ହଟିବେ ନାହିଁ ବୋଲି କହିଥିଲେ। ପୁଲିସ୍ ସେମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଘଟଣାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଯାଜପୁର ଏସ୍‌?ପି କହିଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ସ୍ଥିତି ଶାନ୍ତ ପଡ଼ିବା ପରେ ଯାଜପୁର ଟାଉନ୍ ଥାନା ଆଗରେ ଉତ୍ତେଜନା ଦେଖାଦେଇଛି। ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ପ୍ରତିବାଦ କରୁଛନ୍ତି। ପ୍ରଣବଙ୍କ ଭାଇ ଲଲ ଥାନାରେ ପହଞ୍ଚିଛନ୍ତି। ଆକ୍ରମଣ ପରେ ଲଲ ତାଙ୍କୁ ଫୋନ୍ କରିଥିଲେ ବୋଲି ଅଭିଯୋଗ କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) କହିଛନ୍ତି, ଏହି ଘଟଣାକୁ ନିନ୍ଦା କରୁଛି। ମୋର ଅନେକ ଦଳୀୟ କାର୍ଯ୍ୟକ୍ରମ ଥିଲା, ମୁଁ ଘଟଣାସ୍ଥଳରେ ନଥିଲି। ବିରଜା ପ୍ରକଳ୍ପକୁ ନେଇ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ହୋଇଥିଲା। ବିଧାୟକ ସେପଟେ ଯାଉଥିଲେ ଓ ଆନ୍ଦୋଳନକାରୀଙ୍କ ସହ ତାଙ୍କର ବଚସା ହୋଇଥିବା ମୁଁ ଶୁଣିବାକୁ ପାଇଛି। ବିଜେଡି କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଏ ନାହିଁ। ଯଦି କେହି ଏହି ଘଟଣାରେ ଦୋଷୀଥିବା ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନଙ୍କୁ ଗିରଫ କରାଯାଉ। ଏନେଇ ମୁଁ ଏସ୍‌ପିଙ୍କ ସହିତ ମଧ୍ୟ କଥା ହୋଇସାରିଛି। ଆମ ତରଫରୁ ସଂପୂର୍ଣ୍ଣ ସହଯୋଗ କରାଯିବ। ମୋ ଭାଇ ଏହି ଆକ୍ରମଣରେ ସଂପୃକ୍ତ ଥିବା କୁହାଯାଉଛି। ମୁଁ ମୋ ଭାଇକୁ ଯାଇ ଥାନାରେ ବସିବାକୁ କହିଛି। ଯଦି ତାଙ୍କର ଏଥିରେ ହାତ ଥିବ, ତାଙ୍କୁ ମଧ୍ୟ ଗିରଫ କରାଯାଉ।

Comments are closed, but trackbacks and pingbacks are open.