ବାଚସ୍ୱତିଙ୍କୁ ବିଧାନସଭା କମିଟିର ସୁପାରିଶ: ବିଧାୟକଙ୍କ ମାସିକ ଦରମା ହେବ ୩ ଲକ୍ଷ!

29

ଭୁବନେଶ୍ୱର: ବିଧାନସଭାର ଦରମା ବୃଦ୍ଧି କମିଟି ବିଧାୟକମାନଙ୍କ ମାସିକ ଦରମା ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସୁପାରିଶ କରିଛି । ବିଧାୟକମାନେ ଏବେ ଦରମା ଓ ଭତ୍ତା ବାବଦରେ ମାସିକ ପାଉଛନ୍ତି ୯୯ ହଜାର ଟଙ୍କା । ଏଥିରେ ରହିଛି ଦରମା ବାବଦକୁ ୩୫ ହଜାର, କନ୍‌ଭେନିଏନ୍ସ ଆଲାଉନ୍ସ ୧୫ ହଜାର, ମେଡିକାଲ ଖର୍ଚ୍ଚ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର, ଷ୍ଟାଫ୍ ଖର୍ଚ୍ଚ ପାଇଁ ୨୦ ହଜାର ଓ ବିଦ୍ୟୁତ୍ ଭଡ଼ା ପାଇଁ ୫ ହଜାର ଟଙ୍କା । ଏହି ଦରମା ଓ ଭତ୍ତା କମ୍ ହେଉଛି ବୋଲି କମିଟି ଅନୁଭବ କରୁଛି । ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ବିଧାନସଭା ଦରମା ବୃଦ୍ଧି କମିଟିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି ଯେ ଗତ ବିଧାନସଭା ମୌସୁମୀ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀ ସଭ୍ୟମାନେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ମିଳିତ ଦାବି କରିଥିଲେ । ୨୦୧୭ରେ ଶେଷଥର ପାଇଁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ଓଡ଼ିଶା ବିଧାୟକଙ୍କ ଦରମା ୧ ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସେମାନେ ଦାବି କରିଥିଲେ । ଗୃହରେ ବି ଏନେଇ ସର୍‌ଗର୍‌ମ ଆଲୋଚନା ହୋଇଥିଲା । ବାଚସ୍ପତି ଏଥିରେ ହସ୍ତକ୍ଷେପ କରି ଏକ କମିଟି ଗଠନ ପାଇଁ ରୁଲିଂ ଦେଇଥିଲେ । କମିଟି ବି ଗଠନ ହେଲା । ଉକ୍ତ କମିଟି ଅନ୍ୟରାଜ୍ୟର ବିଧାୟକମାନେ କେତେ ଦରମା ଓ ଭତ୍ତା ପାଉଛନ୍ତି ତାହାକୁ ଜର୍ଜମା କରି ଓଡ଼ିଶାରେ ବିଧାୟକଙ୍କ ଦରମା ଓ ଭତ୍ତା କେତେ ବୃଦ୍ଧି ହେବା ଦରକାର ତା’ର ଏକ ବିସ୍ତୃତ ତୁଳନାତ୍ମକ ରିପୋର୍ଟ ପ୍ରସ୍ତୁତ କରିଛି । ସେଇ ରିପୋର୍ଟ ଆଧାରରେ ବାଚସ୍ପତିଙ୍କୁ ବିଧାୟକଙ୍କ ମାସିକ ଦରମା ୩ ଲକ୍ଷକୁ ବୃଦ୍ଧି କରିବାକୁ ସୁପାରିଶ କରିଛି । ବାଚସ୍ପତି ଏହାକୁ ତୁରନ୍ତ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଅର୍ଥ ବିିଭାଗ ସବୁଜ ସଙ୍କେତ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ । ପରେ ଗୃହରେ ବି ବାଚସ୍ପତି ତାହା ଘୋଷଣା କରିବେ । ମୋ ମତରେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ହେବା ନିହାତି ଜରୁରୀ । ଶ୍ରୀ ଶତପଥୀ ପୁଣି କହିଛନ୍ତି ଯେ କେବଳ ବର୍ତ୍ତମାନର ବିଧାୟକ ନୁହଁନ୍ତି, ପୂର୍ବତନ ବିଧାୟକମାନଙ୍କର ବି ମାସିକ ପେନସନ ବୃଦ୍ଧି ନେଇ କମିଟି ସୁପାରିଶ କରିଛି । ସେମାନେ ଏବେ ପେନ୍‌ସନ ବାବଦକୁ ମାସିକ ୩୦ ହଜାର ଟଙ୍କା ପାଉଛନ୍ତି । ଆନୁପାତିକ ହାରରେ ବୃଦ୍ଧି କରିବାକୁ କମିଟି ମତ ଦେଇଛି । ଉଲ୍ଲେଖନୀୟ ଯେ ଗତ ୭ ସେପ୍ଟେମ୍ବର ୨୦୨୨ରେ ବିଧାୟକଙ୍କର ସ୍ୱାସ୍ଥ୍ୟ ବୀମା ପରିମାଣ ବଢ଼ିଥିଲା । ପୂର୍ବରୁ ଥିବା ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ପୂର୍ବତନ ସଦସ୍ୟ ବି ଏହି ସୁବିଧା ପାଇଛନ୍ତି । ରାଜ୍ୟ ଅର୍ଥ ବିଭାଗର ସବୁଜ ସଙ୍କେତ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବୁଧବାର ଏହାକୁ ଅନୁମୋଦନ ଦେଇଥିଲେ । ଫଳରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ବାଦଦେଇ ୧୨୪ ବିଧାୟକ, ବିଧାୟିକା ଏବଂ ତାଙ୍କର ୮୮ ପରିବାର ସଦସ୍ୟଙ୍କୁ ମିଶାଇ ମୋଟ୍ ୨୧୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ପାଉଛନ୍ତି । ଏଥିସହିତ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ, ବିଧାୟିକା ଏବଂ ସେମାନଙ୍କର ୨୪୫ ପରିବାର ସଦସ୍ୟ ମିଶି ମୋଟ୍ ୫୬୨ ଜଣଙ୍କୁ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ମିଳୁଛି ।

Comments are closed, but trackbacks and pingbacks are open.