ରାହୁଲଙ୍କୁ ସଦ୍ଦାମ ଆଖ୍ୟାଦେଲେ ଆସାମ ମୁଖ୍ୟମନ୍ତ୍ରୀ, କଂଗ୍ରେସର ତୀବ୍ର ପ୍ରତିବାଦ

35

ଅହମ୍ମଦାବାଦ: ସଂପ୍ରତି କଂଗ୍ରେସ ପକ୍ଷରୁ ଚାଲିଥିବା ‘ଭାରତ ଯୋଡୋ ଯାତ୍ରା’ ଅଭିଯାନର ନେତୃତ୍ୱ ନେଉଛନ୍ତି ରାହୁଲ ଗାନ୍ଧୀ । ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏକାଧିକ ରାଜ୍ୟ ପରିକ୍ରମା କରିସାରିଥିବାବେଳେ ବୁଧବାର ମଧ୍ୟପ୍ରଦେଶରେ ପହଞ୍ଚିଛି । ଇତିମଧ୍ୟରେ ଅଢେଇ ମାସ ଅତିକ୍ରାନ୍ତ ହୋଇସାରିଥିବାବେଳେ ରାହୁଲଙ୍କ ଚେହେରାରେ ପରିବର୍ତ୍ତନ ଏବଂ କ୍ଲାନ୍ତିର ସଙ୍କେତ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ରାହୁଲଙ୍କୁ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାହୁଲ ବର୍ତ୍ତମାନ ଇରାକ୍‌ର ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ଭଳି ଦେଖଯାଉଛନ୍ତି ବୋଲି ହିମନ୍ତ ଲଘୁ ଟିପ୍ପଣି ଦେଇଛନ୍ତି । ତେବେ ହିମନ୍ତଙ୍କ ଏତାଦୃଶ ମନ୍ତବ୍ୟକୁ କଂଗ୍ରେସ ଗୁରୁତ୍ୱର ସହ ଗ୍ରହଣ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । କୋଭିଡ୍ ସମୟରେ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦାଢି ବଢାଇଥିଲେ, ସେତେବେଳେ ଆମେ କିଛି ପ୍ରତିକୂଳ ମନ୍ତବ୍ୟ ଦେଇନଥିଲୁ । ବର୍ତ୍ତମାନ ରାହୁଲଙ୍କ ନିଶଦାଢି ବଢିଥିବାରୁ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ଏଭଳି ଟିପ୍ପଣି ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି କଂଗ୍ରେସ ମୁଖପାତ୍ର ଅଳକା ଲାମ୍ବା କହିଛନ୍ତି । ତେବେ ହିମନ୍ତ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ରାହୁଲଙ୍କ ନୂତନ ଲୁକ୍ ସମ୍ପର୍କରେ ସେ ମନ୍ତବ୍ୟ ଦେଇଛନ୍ତି । ଯଦି ଚେହେରା ବଦଳାଇବାକୁ ଚେଷ୍ଟା କରୁଛ, ତେବେ ସର୍ଦ୍ଦାର ପଟେଲ କିମ୍ବା ଜବାହାରଲାଲ ନେହେରୁଙ୍କ ଭଳି ଦେଖାଯିବାକୁ ଉଦମ୍ୟ କର । ଏପରିକି ଗାନ୍ଧୀଜୀଙ୍କ ଚେହେରାକୁ ଅନୁକରଣ କଲେ ରାହୁଲଙ୍କୁ ଅଧିକ ମାନିବ ବୋଲି ମଧ୍ୟ କହିଥିଲି, କିନ୍ତୁ ତୁମେ ସଦ୍ଦାମଙ୍କ ଚେହେରା ସହ ଖାପ୍ ଖୁଆଇବାକୁ ଚେଷ୍ଟା କରୁଛ ବୋଲି ହିମନ୍ତ କହିଥିଲେ । କଂଗ୍ରେସ ନେତାମାନେ ଭାରତୀୟ ସଂସ୍କୃତିକୁ ଆଡେଇ ବିଦେଶୀ ସଂସ୍କୃତି ପ୍ରତି ଅଧିକ ଆକର୍ଷିତ ହେଉଥିବା ହିମନ୍ତ କହିଥିଲେ ।

Comments are closed, but trackbacks and pingbacks are open.