ସାତକୋଶିଆକୁ ବିଦେଶୀ ପକ୍ଷୀଙ୍କ ଆଗମନ

25

ଭୁବନେଶ୍ବର : ଅନୁଗୁଳ ବ୍ଲକ୍‌ ଟିକରପଡା ସାତକୋଶିଆକୁ ବିଦେଶୀ ପକ୍ଷୀଙ୍କ ଆଗମନ । ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଦଳ ଦଳ ହୋଇ ବିଦେଶୀ ପକ୍ଷୀ ବୁଲୁଥିବା ଦେଖାଯାଇଛି । ଶୀତଦିନେ ବିଦେଶୀ ପକ୍ଷୀ ସାତକୋଶିଆର ଅନ୍ୟତମ ଆକର୍ଷଣ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି । ସୂଚନାଯୋଗ୍ୟ, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ ଜିଲ୍ଲାର କିଛି ଅଂଶକୁ ନେଇ ସାତକୋଶିଆ ଅଭୟାରଣ୍ୟ ଇଲାକା ପରିଗଣିତ । ନଭେମ୍ବର ମାସ ଶେଷ ଓ ଡିସେମ୍ବର ପ୍ରଥମ ସପ୍ତାହ ଆଡ଼କୁ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସାତକୋଶିଆକୁ ଆଗମନ ହୋଇଥାଏ । ତିନି ମାସ ଧରି ଏଠାରେ ରହିବା ପରେ ନିଜ ଇଲାକାକୁ ବାହୁଡ଼ି ଯାଇଥାନ୍ତି । ଟିକରପଡାର ମହାନଦୀ ପଠା, କଟରଙ୍ଗ ଘାଟ, ବାଲିପୁଟ ଉତ୍ତର ଓ ଦକ୍ଷିଣ ପାଶ୍ୱର୍, ମରଡ଼ା, କୁତୁରୀ, ବଡ଼ମୂଳ, ହରଭଙ୍ଗା, ଅଇଡା, ବାଲିପୁଟ, ଚକ୍ରଗଡ଼ ଏବଂ ସେହିଭଳି ଆଠମଲ୍ଲିକ ବନଖଣ୍ଡର ବେଲପୁଞ୍ଜି, ବଡ଼ମୂଳ, କିଆକଟା, ଶିଶୁପଥର ଡ୍ୟାମ ଓ ବିଭିନ୍ନ ଜଳାଶୟରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ । ଏ ସମ୍ପର୍କରେ ସାତକୋଶିଆ ବନଖଣ୍ଡ ଅଧିକାରୀ ଡ. ସରୋଜ ପଣ୍ଡା କହିବାନୁଯାୟୀ, ନଭେମ୍ବର ଶେଷ ଆଡ଼କୁ ବିଦେଶୀ ପକ୍ଷୀ ଦେଖା ଦେଇଥାଆନ୍ତି । ସାତକୋଶିଆରେ ପ୍ରାୟ ୯୦ରୁ ୧୧୫ ଦିନ ଅଭୟାରଣ୍ୟ ଅଞ୍ଚଳ ଓ ମହାନଦୀ ପଠାରେ ଦେଖିବାକୁ ମିଳନ୍ତି । ଚଳିତ ବର୍ଷ ମଧ୍ୟ ବିଦେଶୀ ପକ୍ଷୀ ଦଳଦଳ ହୋଇ ଦେଖାଦେଲେଣି ।

Comments are closed, but trackbacks and pingbacks are open.