ସେନା ମୁଖ୍ୟ ଜେନେରାଲ୍ ପାଣ୍ଡେଙ୍କ ବଡ଼ ବୟାନ, ସୀମାରୁ ସୈନ୍ୟ ହ୍ରାସ କରିନି ଚୀନ୍‌

24

ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମା ବିବାଦକୁ ନେଇ ସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ପୂର୍ବ ଲଦାଖ୍‌ରେ ସ୍ଥିତି ସ୍ୱାଭାବିକ୍ ରହିଥିଲେ ମଧ୍ୟ ଏଠାରେ କେବେ ବି ପରିସ୍ଥିତିରେ ପରିବର୍ତ୍ତନ ଘଟିପାରେ । ସେ କହିଛନ୍ତି, ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଆମ ସ୍ୱାର୍ଥର ସୁରକ୍ଷା ପାଇଁ ଆମକୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ସେନା ମୁଖ୍ୟଙ୍କ ଅନୁସାରେ ସୀମାରେ ଚୀନ୍ ନିଜ ସୈନ୍ୟ ସଂଖ୍ୟା ହ୍ରାସ କରି ନାହିଁ କିମ୍ବା ମୌଳିକ ଭିତ୍ତିଭୂମିର ବିକାଶ କାର୍ଯ୍ୟରୁ ପଛକୁ ହଟିନାହିଁ । ଶନିବାର ଚାଣକ୍ୟ ଡାଏଲଗ୍ସରେ ଥିଙ୍କ୍ ଟ୍ୟାଙ୍କ୍ ଗ୍ରୁପ୍‌କୁ ସମ୍ବୋଧିତ କରି ସେ ଏହା କହିଛନ୍ତି । ଜେନେରାଲ୍ ପାଣ୍ଡେ କହିଛନ୍ତି, ସୀମା ବିବାଦର ସାତରୁ ପାଞ୍ଚଟି ପ୍ରସଙ୍ଗ କଥାବର୍ତ୍ତା ମାଧ୍ୟମରେ ସମାଧାନ କରାଯାଇଛି । ଭାରତ-ଚୀନ୍ ମଧ୍ୟରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ୧୭ଟି କମାଣ୍ଡରସ୍ତରୀୟ ବୈଠକକୁ ନେଇ ଭାରତୀୟ ସେନା ସମୀକ୍ଷା କରୁଛି । ଏହା ମଧ୍ୟରୁ ଦୁଇଟି ପଏଣ୍ଟ୍ ସହ ସମ୍ପୃକ୍ତ ପ୍ରସଙ୍ଗର ସମାଧାନ କରିବା ଉପରେ ଧ୍ୟାନ ଦେବାକୁ ହେବ । ଡେମ୍‌ଚୋକ୍ ଓ ଦେପସାଙ୍ଗ୍ ପ୍ରସଙ୍ଗରେ ସେ ଏହା କହିଥିବା ତାଙ୍କ ବୟାନରୁ ଅନୁମାନ କରାଯାଉଛି । ଚଳିତବର୍ଷ ଜୁଲାଇ ୧୭ ତାରିଖରେ ଭାରତ ଏବଂ ଚୀନ୍ ମଧ୍ୟରେ କମାଣ୍ଡର୍‌ସ୍ତରୀୟ ୧୬ତମ ଆଲୋଚନା ହୋଇଥିଲା । ୨୦୨୧ ଡିସେମ୍ବର ୮ ତାରିଖରୁ ସୈନ୍ୟ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହା ସେପ୍ଟେମ୍ବର ୧୩ ତାରିଖରେ ସମ୍ପୂର୍ଣ୍ଣ ହୋଇଥିଲା । ଜେନେରାଲ୍ ପାଣ୍ଡେ ଚୀନ୍‌ର ଦୋମୁହାଁ ନୀତି ସମ୍ପର୍କରେ ଚେତାଇଛନ୍ତି । ସେ କହିଛନ୍ତି, ଚୀନ୍‌ର କହିବା ଏବଂ କରିବାରେ ପାର୍ଥକ୍ୟ ରହିଛି । ଚୀନ୍ ଯାହା କହିଥାଏ, କାର୍ଯ୍ୟ ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଏହା ତାର ମନୋବୃତ୍ତି ଏବଂ ଚରିତ୍ରର ଏକ ବିଶେଷ ଅଂଶ । ଆମକୁ ଚୀନ୍‌ର କଥା ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ସେମାନଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସେନା ମୁଖ୍ୟ କହିଛନ୍ତି, ଚୀନା ସୈନିକଙ୍କ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ । ଶୀତଋତୁ ଆରମ୍ଭ ସହିତ କେତେକ ପିଏଲ୍‌ଏ ବ୍ରିଗେଡ୍ ଫେରିବାର ସଙ୍କେତ ମିଳିଛି ।
ସୂଚନାଯୋଗ୍ୟ, ୨୦୨୦ରେ ଚୀନ୍ ପୂର୍ବ ଲଦାଖ୍‌ର ସୀମାବର୍ତ୍ତୀ ଅଞ୍ଚଳରେ ଏକ୍ସରସାଇଜ୍ ବାହାନାରେ ସୈନ୍ୟଙ୍କୁ ମୁତୟନ କରିଥିଲା । ଏହାପରେ ଏହି ଅଞ୍ଚଳର କେତେକ ସ୍ଥାନରେ ଚୀନ୍ ସୈନ୍ୟ ଅନୁପ୍ରବେଶ କରିଥିଲେ । ଏହାର ଜବାବରେ ଭାରତୀୟ ସେନା ଏହି ଅଞ୍ଚଳରେ ବହୁ ସଂଖ୍ୟା ସୈନିକ ମୁତୟନ କରିଥିଲା । ପରିସ୍ଥିତି ଏତେ ଖରାପ ହୋଇଥିଲା ଯେ ଚାରି ଦଶକର ଊର୍ଦ୍ଧ୍ୱ ସମୟପରେ ଏଲ୍‌ଏସିରେ ଗୁଳି ଚାଲିଥିଲା । ଏହି ଅବସରରେ ଜୁନ୍ ୧୫ ତାରିଖରେ ଗଲୱାନ୍ ଘାଟିରେ ଚୀନ୍ ସେନା ସହିତ ସଂଘର୍ଷରେ ୨୦ ଭାରତୀୟ ସୈନିକ ସହିଦ ହୋଇଥିଲେ । ଭାରତୀୟ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଚୀନ୍ ୪୫ ସୈନ୍ୟଙ୍କୁ ହରାଇଥିଲେ ସୁଦ୍ଧା ଏହାକୁ ସ୍ୱୀକାର କରିନଥିଲା ।

Comments are closed, but trackbacks and pingbacks are open.